‘ଫୋନି’ ପରେ ସୁଧୁରିଲାଣି ସ୍ଥିତି । କେଉଁଠି କେତେ ପୁନଃରୁଦ୍ଧାର ହୋଇଛି, ହିସାବ ଦେଲେ ସରକାର ।

106

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ପରବର୍ତ୍ତୀ ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି । ଜନଜୀବନ ଯଥେଷ୍ଟ ଭାବରେ ବ୍ୟବସ୍ଥିତ ହୋଇପାରିଛି । ବାତ୍ୟା ପୂର୍ବର ପ୍ରସ୍ତୁତିମୂଳକ ପଦକ୍ଷେପ ଯୋଗୁଁ ଜୀବନହାନୀ ରୋକା ଯାଇପାରିଛି । ବାତ୍ୟା ପୂର୍ବରୁ ପ୍ରାକ୍-ପ୍ରସ୍ତୁତି ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ଆବଶ୍ୟକତାକୁ ଯୁଦ୍ଧକାଳନୀ ଭିତ୍ତିରେ ପୂରଣ କରାଯାଇପାରିଛି । ବାତ୍ୟା ପୂର୍ବରୁ ପାନୀୟଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ପୌରାଞ୍ଚଳର ଜଳଭଣ୍ଡାର ଗୁଡ଼ିକୁ ପୂର୍ଣ୍ଣ କରି ରଖାଯାଇଥିଲା । ବାତ୍ୟା ପରେ ପରେ ସହରାଞ୍ଚଳ ଚଳଯୋଗାଣକୁ ବ୍ୟବସ୍ଥିତ କରିବା ପାଇଁ ବିଶେଷଜ୍ଞମାନଙ୍କୁ କୋଲକାତାରୁ ବାୟୁସେନା ହେଲିକପ୍ଟର ଓ ଗୁଜୁରାଟରୁ ବିମାନରେ ଯନ୍ତ୍ରାଂଶ ମୁଣ୍ଡଳି ଠାରେ ପହଞ୍ଚାଇ ଜେନସେଟ୍ ଉପଯୋଗ କ୍ରମେ ଭୁବନେଶ୍ୱରକୁ ଜଳଯୋଗାଣ ସମ୍ଭବ ହୋଇପାରିଥିଲା ବୋଲି ରାଜ୍ୟ ସରକାର କହିଛନ୍ତି ।

ସେହିଭଳି ଗ୍ରାମାଞ୍ଚଳ ପାଇପ୍ ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରିବା ସହ ଟ୍ୟାଙ୍କର, ପିଭିସି ଟ୍ୟାଙ୍କ ଇତ୍ୟାଦି ମାଧ୍ୟମରେ ଜଳଯୋଗାଣ କରାଗଲା । ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜଳଯୋଗାଣ ସ୍ଥିତି କମ ସମୟ ମଧ୍ୟରେ ଶତପ୍ରତିଶତ ସ୍ୱାଭାବିକ ହୋଇପାରିବା ପୂର୍ବପ୍ରସ୍ତୁତି ଯୋଗୁଁ ହୋଇପାରିଲା । ବାତ୍ୟାରେ ମୃତାହତଙ୍କ ସଂଖ୍ୟା କମିବାର ପ୍ରଧାନ କାରଣ ହେଉଛି ପ୍ରାକ୍-ପ୍ରସ୍ତୁତି । ଆଗତୁରା ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ ଯୋଗୁଁ ମୃତ୍ୟୁସଂଖ୍ୟା ୬୪ରେ ସୀମିତ ରହିଲା ।

ଅନ୍ୟପକ୍ଷରେ ମୋଜାମ୍ବିକରେ ଅଳ୍ପ କିଛିଦିନ ତଳେ ଏହି ଧରଣର ବାତ୍ୟାରେ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପୂର୍ବପ୍ରସ୍ତୁତି ଓ ତତ୍ପରତା ସହ ରିଲିଫ୍ ବିତରଣ, ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି । କେନ୍ଦ୍ରୀୟ ପ୍ରତିନିଧି ଦଳ ବାତ୍ୟା ପରିଚାଳନା ଗତ ପ୍ରସ୍ତୁତି ଉଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ମୋଟାମୋଟି ଭାବରେ ‘ଫନୀ’ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମ, ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନ, ବିଭିନ୍ନ ବିଭାଗ ତଥା ସ୍ୱେଚ୍ଛାସେବୀମାନଙ୍କ ଅହର୍ନିଶ କାର୍ଯ୍ୟ ଅବ୍ୟାହତ ରହିଛି ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ଆଉ ଅଧିକ ୧୪,୦୩୭ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦେବା ଫଳରେ ଏହି ସଂଖ୍ୟା ୧ ଲକ୍ଷ ୩୫ ହଜାର ୪୦ରେ ପହଞ୍ଚିଛି । ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ଆଉ ଅଧିକ ୮,୨୫୯ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦେବା ଫଳରେ ଏହି ସଂଖ୍ୟା ୧ ଲକ୍ଷ ୮ ହଜାର ୫୦ରେ ପହଞ୍ଚିଛି ।

ରିଲିଫ୍ ସହାୟତା

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସହାୟତା ବିତରଣରେ ଯୁଦ୍ଧକାଳୀନ ତତ୍ପରତା ପ୍ରକାଶ ପାଇଛି । ଏହି ସହାୟତା ପୁରୀ ଜିଲ୍ଲାରେ ୯୪.୧, ଖୋର୍ଦ୍ଧା ଜିଲ୍ଲାରେ ୯୮.୩, ଜଗତସିଂହପୁର ଜିଲ୍ଲାରେ ୯୫, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୯.୩, କଟକ ଜିଲ୍ଲାରେ ୯୭.୭, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୭.୨ ପ୍ରତିଶତ ହୋଇଥିବାବେଳେ ହାରାହାରି ୯୫ ପ୍ରତିଶତରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ନଗଦ ଅର୍ଥ ଦିଆଯାଇଛି । ପୁରୀ ଜିଲ୍ଲାରେ ୯୬.୬, ଜଗତସିଂହପୁରରେ ୯୯, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୭.୩୪, କଟକ ଜିଲ୍ଲାରେ ୯୮.୫, ବିଏମ୍ସି ଅଞ୍ଚଳରେ ୭୭.୩, ଖୋର୍ଦ୍ଧା ଜିଲ୍ଲାରେ ୯୪.୬ ପ୍ରତିଶତ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଇଥିବାବେଳେ ସମୁଦାୟ ହାରାହାରି ୯୪ ପ୍ରତିଶତରୁ ଊଦ୍ଧ୍ୱର୍ ହିତାଧିକାରୀ ଏହି ସୁବିଧା ପାଇଛନ୍ତି ।
ଟେଲି ଯୋଗାଯୋଗ

ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ନିରନ୍ତର ଉଦ୍ୟମ କ୍ରମେ ଟେଲିଯୋଗାଯୋଗ ଓ ମୋବାଇଲ୍ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି । ଖୋର୍ଦ୍ଧା ଜିଲ୍ଲାରେ ୮୩ ପ୍ରତିଶତରୁ ବୃଦ୍ଧିପାଇ ୮୫ ପ୍ରତିଶତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାର ୫୯ ପ୍ରତିଶତ ଓ କଟକ ଜିଲ୍ଲାର ୯୩ ପ୍ରତିଶତ ମୋବାଇଲ୍ ଟାୱାର କାର‌୍ୟ୍ୟକ୍ଷମ ହୋଇଛି । ସେହିପରି ଭୁବନେଶ୍ୱର ସହରରେ ୮୬%, ପୁରୀ ସହରରେ ୬୦% ଓ କଟକ ସହରରେ ୯୩% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି । ପୁରୀ ସହରରେ ବର୍ତ୍ତମାନ ସୁଦ୍ଧା ମୋଟ ୨୩ଟି କାଓ କାର୍ଯ୍ୟ କରୁଛି । ଆଜିଠାରୁ ବ୍ରହ୍ମଗିରିଠାରେ ବିଏସଏନଏଲ୍ କାଓ କାର୍ଯ୍ୟ କରୁଛି । । ଏୟାରଟେଲର ୧୦ଟି, ଜିଓର ୬ଟି ଏବଂ ଭୋଡ଼ାଫୋନ ଆଇଡିଆର ୬ଟି କାଓ କାର୍ଯ୍ୟ । କରୁଛି । ପୁରୀରେ ୨୩ଟି ବେସ୍ ଟ୍ରାନ୍ସରିସିଭର ଷ୍ଟେସନ୍ କାର୍ଯ୍ୟ କରୁଛି । ଖୋର୍ଦ୍ଧା ଏବଂ କଟକରେ ବିଏସ୍ଏନ୍ଏଲ୍ ଫିକ୍ସଡ୍ ଲ୍ୟାଣ୍ଡଲାଇନ୍ ଶତପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୪୧ରୁ ୩୪ଟି କାର୍ଯ୍ୟ କରୁଛି । ପୁରୀ ଜିଲ୍ଲା ପାଇଁ ଇଣ୍ଟ୍ରାସର୍କଲ ରୋମିଂ ସେବା ଚାଲୁ ରହିଛି । ପୁରୀର ସମସ୍ତ ବ୍ଲକ୍ ସଦର ମହକୁମାରେ ବିଏସ୍ଏନ୍ଏଲ୍ ଏବଂ ଜିଓ ମୋବାଇଲ୍ ସେବା ଶତପ୍ରତିଶତ କାର୍ଯ୍ୟ କରୁଛି ।

ବ୍ୟାଙ୍କିଂ ସେବା

ଆଜି ସୁଦ୍ଧା ପୁରୀରେ ୯୩.୬୯, ଖୋର୍ଦ୍ଧାରେ ୯୮.୬୩, କଟକରେ ୯୯.୪୯, ଜଗତସିଂହପୁରରେ ୯୭.୫୬, ଗଞ୍ଜାମରେ ୯୯.୭୭ ପ୍ରତିଶତ ଏବଂ କେନ୍ଦ୍ରାପଡ଼ାରେ ଶତପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛି । ସେହିପରି ପୁରୀରେ ୩୪.୯୧%, ଖୋର୍ଦ୍ଧା ୭୪.୨୪%, କଟକରେ ୭୮.୯୨%, ଜଗତସିଂହପୁରରେ ୭୮.୮୪%, ଗଞ୍ଜାମରେ ୯୯.୬୨% ଏବଂ କେନ୍ଦ୍ରାପଡ଼ାରେ ୮୩.୬୩% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଛି ।