ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କିଭଳି ହେବେ ସାମିଲ ? ଆଜିଠାରୁ ଆବେଦନ, ଜାଣନ୍ତୁ ପୁରା ପ୍ରକ୍ରିୟା ।

65

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଲାଗୁ ହେବ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା । ରାଜ୍ୟର ପ୍ରତ୍ୟେକ ଗରିବ , ନିଃସହାୟ ଓ ଯୋଗ୍ୟ ପରିବାରକୁ ଏହି ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ରାଜ୍ୟ ସରକାର । ଯଦି କୌଣସି ପରିବାର ଏହି ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି , ସେମାନେ ରାଜ୍ୟ ସରକାରଙ୍କ ଏହି ନଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରିବେ । ଜାଣନ୍ତୁ କିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ।

ଏଥିପାଇଁ ଆପଣଙ୍କୁ ଏକ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ ପଡିବ । ଏହି ଆବେଦନ ପତ୍ର ସମସ୍ତ ପଞ୍ଚାୟତ/ବ୍ଲକ/ପୌରପାଳିକା ଓ ମହାନଗର ନିଗମ କାର୍ଯ୍ୟାଳୟ ମାନଙ୍କରେ ବିନା ମୂଲ୍ୟରେ ଆଜି ଠାରୁ ଆସନ୍ତା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଏହି ଆବେଦନ ପତ୍ରକୁ ପୂରଣ କରି ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ଆପଣ ବ୍ଲକ/ପୌରପାଳିକା ଓ ମହାନଗର ନିଗମ କାର୍ଯ୍ୟାଳୟ ମାନଙ୍କରେ ଥବା ରେସନ କାର୍ଡ ପରିଚାଳନା କେନ୍ଦ୍ରରେ ଦାଖଲ କରିବାକୁ ହେବ ।

ସେହିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମିଳିଥିବା ଆବେଦନ ପତ୍ର ଗୁଡିକର ଯାଞ୍ଚ କରାଯାଇ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଚିଠା ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯିବ ।

ଚିଠା ତାଲିକା ଉପରେ ଥିବା ଆପତ୍ତି ଓ ଅଭିଯୋଗ ଗୁଡିକ ଶୁଣାଣୀ କରାଯାଇ ଚୂଡାନ୍ତ ହିତାଧିକାରୀ ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ୨୦ ସେପ୍ଟେମ୍ବରରେ ପ୍ରକାଶ କରାଯିବ ବୋଲି ନିର୍ଦ୍ଧାରିତ ହୋଇଛି ।

ତେବେ ଚୂଡାନ୍ତ ତାଲିକାରେ ସ୍ଥାନିତ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ରିହାତି ମୂଲ୍ୟରେ ଚାଉଳ ଯୋଗାଇ ଦିଆଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।