ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ! ପ୍ରଣବ ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ

75

କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ୫ ଦଶନ୍ଧି ଧରି ସଂଗୀତର ସେବା ଦେଇ ଆସିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଗତକାଲି ଶ୍ରୀଜୟଦେବ ସମ୍ମାନ ପାଇଛନ୍ତି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ସହ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଛି । ଏହି ଅବସରରେ ‘ଚିନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ’ ପ୍ରଦାନ କରାଯାଇଥିଛି । ଏହାର ପ୍ରଯୋଜକ ଭବାନୀ ମାଝି ଏବଂ ସ୍ନେହଲତା ପରିଡ଼ା ୫୦ ହଜାର ଟଙ୍କାର ଅର୍ଥରାଶି ସହ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିଶୁ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ପୁରସ୍କାର ପ୍ରଦାନ ସହ କଳାକାର ଭତ୍ତା ପାଇଁ ଆହୁରି ଦୁଃସ୍ଥ କଳାକାରଙ୍କୁ ସାମିଲ୍ କରାଯିବ ବୋଲି କହିଛନ୍ତି । ବିଶେଷକରି କଳାରେ ସମ୍ପନ୍ନ ଓ ସାମାଜିକ ପ୍ରଭାବ ଥିବା ଚଳଚ୍ଚିତ୍ର ନିର୍ମାଣ କରିବା ଉପରେ ପ୍ରଧାନ୍ୟ ଦେବାକୁ ସେ କହିଥିଲେ ।

ସେହିଭଳି ଚଳଚ୍ଚିତ୍ର ‘ନାମର୍ଦ୍ଦ’ର ନିର୍ଦେଶକ ଅଜୟ ରଥଙ୍କୁ ଶ୍ରେଷ୍ଠ ନିର୍ଦେଶକ, ‘ନାମର୍ଦ୍ଦ’ର ସମରେଶ ରାଉତରାୟ(ଅନୁପସ୍ଥିତ)ଙ୍କୁ ଶ୍ରେଷ୍ଠ ଅଭିନେତା, ‘ମୀମାଂସା’ର ସୁଶ୍ରୀ ସଂଗୀତା ମହାପାତ୍ର (ଲିପି)ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ‘ନାମର୍ଦ୍ଦ’ର ଲେଖକ ଦିଲ୍ଲୀପ କୁମାର ଚୌଧୁରୀ ଶ୍ରେଷ୍ଠ କାହାଣୀକାର, ଶ୍ରେଷ୍ଠ ଚିତ୍ରନାଟ୍ୟ ଏବଂ ‘ଲଭ୍ ୟୁ ଜେସିକା’ର ଶ୍ରେଷ୍ଠ ସଂଳାପକାର ଭାବେ ୩ଟି ପୁରସ୍କାର ଗ୍ରହଣ କରିଥିଲେ। ‘ତୁ କହିବୁ ନା ମୁଁ’ରେ ସଂଗୀତ ପାଇଁ ଗୁଡଲି ରଥଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ, ସେହି ଚଳଚ୍ଚିତ୍ରର କଣ୍ଠଶିଳ୍ପୀ ଶଶାଙ୍କ ଶେଖର ସାହୁଙ୍କୁ ‘ଦିନେ ଫୁଟିଥିଲା ଫୁଲ..ଗୀତ ପାଇଁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ’, ‘ମୀମାଂସା’ର ‘ଢେଉ ଫେରେ କୂଳେ..ଗୀତ ଗାଇଥିବା ମହାଲକ୍ଷ୍ମୀ ଆୟାର(ଅନୁପସ୍ଥିତ)ଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ‘ଚିନି’ର ଦିଲ୍ଲୀପ କୁମାର ରାୟଙ୍କୁ ଶ୍ରେଷ୍ଠ ଚିତ୍ରଗ୍ରହଣ ପାଇଁ ପ୍ରମୋଦ ପତି ସମ୍ମାନ, ‘ଲଭ୍ ୟୁ ଜେସିକା’ର ସୁକୁମାର ମଣିଙ୍କୁ ଶ୍ରେଷ୍ଠ ସମ୍ପାଦନା, ‘ଅଗସ୍ତ୍ୟ’ ଚଳଚ୍ଚିତ୍ରରେ ’ଧୀରେଧୀରେ ଭଲ ପାଇଗଲି..ଗୀତ ପାଇଁ ସୁବ୍ରତ ସ୍ୱାଇଁଙ୍କୁ ଶ୍ରେଷ୍ଠ ଗୀତିକାର, ‘ମୀମାଂସା’ର ଅଭିନେତା ସ୍ୱର୍ଗତ ମୀନକେତନଙ୍କୁ ମରଣୋତ୍ତର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ପତ୍ନୀ କାଞ୍ଚନବାଳା ଦାସ ପୁରସ୍କାର ଗ୍ରହଣ ବେଳେ କାନ୍ଦି ପକାଇଥିଲେ ।

‘ଦେଲେ ଧରା କଥା ସରେ’ର ମହାଶ୍ୱେତା ରାୟଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ‘ଲଭ୍ ୟୁ ଜେସିକା’ର ଚିତ୍ତରଂଜନ ତ୍ରିପାଠୀଙ୍କୁ ଶ୍ରେଷ୍ଠ ହାସ୍ୟ କଳାକାର, ‘ଚିନି’ର ତିଥିରୂପା ବହିଦାରଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ, ‘ଚିନି’ର ଦେବେନ୍ ଅମାତଙ୍କୁ ଶ୍ରେଷ୍ଠ କଳା ନିର୍ଦେଶକ, ‘ମୀମାଂସା’ର ସୁବାସ ସାହୁଙ୍କୁ ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ, ‘ନାମର୍ଦ୍ଦ’ର ଅଭିନେତ୍ରୀ ବିଦିତା ବାଗ(ଅନୁପସ୍ଥିତ)ଙ୍କୁ ସ୍ୱତନ୍ତ୍ର ଜୁରି ସମ୍ମାନ, ‘ମୀମାଂସା’ର ସନ୍ତୋଷ କୁମାର ଦଳେଇଙ୍କୁ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ‘ତୁ କହିବୁ ନା ମୁଁ’ର ସମରେଶ ପାଲ୍ଙ୍କୁ ଶ୍ରେଷ୍ଠ ରୂପ ସଜ୍ଜାକାରୀ, ‘ଚିନି’ର ବବି ଇସଲାମଙ୍କୁ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହିତ ଚଳଚ୍ଚିତ୍ର ପୁରସ୍କାରର ଜୁରି କମିଟିର ବିପିନ୍ ବିହାରୀ ମିଶ୍ର(ଅଧ୍ୟକ୍ଷ), ଦୋଳଗୋବିନ୍ଦ ରଥ, ସୂର୍ଯ୍ୟ ଦେଓ, ଶୈଳେଶ୍ୱର ନନ୍ଦ, ସୁବାସ ଦାସ, ଶୀର୍ଷାନନ୍ଦ ଦାସ କାନୁନଗୋ, ଗୀତା ପଟ୍ଟନାୟକ ପ୍ରମୁଖଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା । ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।