ନିର୍ବାଚନରେ ସଫଳତା ପରେ ବିଜେପିକୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ । ନିରଂଜନ କହିଲେ, ଗଣତନ୍ତ୍ରର ହୋଇଛି ବିଜୟ

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟ ବିଜେପିକୁ ଜବାବ ଦେଇଛନ୍ତି ଜନତା

118

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ନିର୍ବାଚନର ଫଳାଫଳ ବିଜେପିକୁ ନିରାଶ କରିଛି । ଅନ୍ୟପଟେ କଂଗ୍ରେସ ଶିବିରରେ ଉତ୍ସାହ ଭରିଦେଇଛି । ଛତିଶଗଡ଼, ରାଜସ୍ଥାନରେ ବିଜେପି ହାତରୁ ଶାସନ ଛଡ଼ାଇ ନେବାରେ କଂଗ୍ରେସ ସଫଳ ହୋଇଛି । ମଧ୍ୟପ୍ରଦେଶରେ ଝୁଲା ବିଧାନସଭାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାରେ ମଧ୍ୟ ଭଟ୍ଟା ପଡିଛି । କାରଣ ମଧ୍ୟପ୍ରଦେଶରେ ବି କଂଗ୍ରେସକୁ ମିଳିଛି ବହୁମତ । ଏନେଇ ବିଏସପି ତରଫରୁ ମିଳିଛି ସବୁଜ ସଙ୍କେତ ।

congress vs bjp

ତେବେ କଂଗ୍ରେସର ଜିତାପଟ ପରେ ଦଳୀୟକର୍ମୀଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି । କଂଗ୍ରେସ ବିଭିନ୍ନ କାର୍ଯ୍ୟାଳୟ ବାହାରେ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି । ଇତି ମଧ୍ୟରେ ବିଜେପିକୁ ସମାଲୋଚନା କରିବାକୁ ବି ଭୁଲିନାହିଁ କଂଗ୍ରେସ । ତିନିଟି ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିବା ପରେ କେନ୍ଦ୍ର ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଜେପି କୃଷକ ଓ ଯୁବକମାନଙ୍କୁ ଅଣଦେଖା କରିବାର ଫଳ ଭୋଗିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଗଣତନ୍ତ୍ରର ବିଜୟ ହୋଇଛି । ଏବଂ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନପାରିବାରୁ ଜନତା ତାର ଜବାବ ଦେଇଛନ୍ତି ।

ମଧ୍ୟପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବାକୁ କଂଗ୍ରେସକୁ ଆଉ ମାତ୍ର ୨ଟି ଆସନ ଆବଶ୍ୟକ ଥିବାବେଳେ ବଡ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେ କହିଛନ୍ତି ବିଜେପିକୁ କ୍ଷମତାରୁ ଦୂରୋଇ ରଖିବା ପାଇଁ କଂଗ୍ରେସକୁ ସମର୍ଥନ କରିବ ତାଙ୍କ ଦଳ । ମଧ୍ୟପ୍ରଦେଶରେ ବିଏସପିର ୨ଜଣ ବିଧାୟକ ବିଜୟୀ ହୋଇଛନ୍ତି । ତେଣୁ ଏହି ୨ଜଣଙ୍କ ସମର୍ଥନ ସହ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁବାକୁ ସକ୍ଷମ ହେବ ।

୨୩୦ ଆସନରୁ ୧୧୪ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ । ସେହିପରି ବିଜେପି ୧୦୯ ଆସନ ଦଖଲ କରିବାରେ ସକ୍ଷମ ହୋଇଛି । ଏବଂ ଅନ୍ୟାନ୍ୟଙ୍କ ପାଖକୁ ଯାଇଛି ୭ଟି ସିଟ୍ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।