ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ୧୨ ପ୍ରସ୍ତାବ ଉପରେ ମୋହର, ୫୨୦୦ ଅଧ୍ୟାପକଙ୍କୁ ମିଳିବ ବର୍ଦ୍ଧିତ ଦରମା

796

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ ବୈଠକରେ ସରକାର ଶନିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୨ ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍ ମୋହର । ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପୁରୁଣା ହାରରେ ଦରମା ପାଉଥିବା ଅଧ୍ୟାପକଙ୍କ ଦରମା ବଢ଼ିବ ।

ନିଷ୍ପତ୍ତି ପରେ ଏଣିକି ପୁରୁଣା ୟୁଜିସି ସ୍କେଲ ବଦଳରେ ନୂଆ ସ୍ଲେଲରେ ଦରମା ମିଳିବ । ବିପିୟୁଟି ଓ ଓୟୁଏଟି ଅଧ୍ୟାପକ ମଧ୍ୟ ଏଥିଯୋଗୁଁ ଲାଭବାନ୍ ହୋଇପାରିବେ ।  ପିଛଲା ଭାବରେ ୨୦୧୬ ଜାନୁଆରି ପହିଲାରୁ ବର୍ଦ୍ଧିତ ଦରମା ମିଳିବ । ଏହା ଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେବେ ।

ଏହାବ୍ୟତୀତ କାଳିଆ ଯୋଜନା ପାଇଁ କଂଟିଜେନ୍ସି ଫଣ୍ଟର ପରିମାଣ ବୃଦ୍ଧି କରାଯାଇଛି । ୪୦୦ କୋଟିରୁ ୧୬୦୦ କୋଟି କଂଟିଜେନ୍ସି ଫଣ୍ଡ ବୃଦ୍ଧି ପାଇଲା । ପଂଚଦଶ ଅର୍ଥ କମିଶନଙ୍କୁ ଆସନ୍ତା ୯ରେ  ସ୍ମାରକପତ୍ର ପ୍ରଦାନ କରାଯିବ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରାଇଭେଟ ଡିଲରଙ୍କ ଅବଧି ବଢାଇଛି କ୍ୟାବିନେଟ । ଯୋଗାଣ ନିରୀକ୍ଷକଙ୍କ ପାଇଁ ଆକାଉଣ୍ଟ ଓ ଲ’ପରୀକ୍ଷା ବାଧ୍ୟତାମୂଳକ ହେବ, ନହେଲେ ବର୍ଦ୍ଧିତ ବାର୍ଷିକ ବେତନ ମିଳିବନି । ଏହାସହ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କୀ ମୂହାଣରେ ନୂଆ ଜାଗା ପ୍ରଦାନ କରାଯିବ । ସ୍ୟାଣ୍ଡ ଆର୍ଟ ପାଇଁ ୦.୬ ଏକର ଜମି ପ୍ରଦାନ କରାଯିବ ।