୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ଆଗତ କଲେ ରାଜ୍ୟ ସରକାର : ପ୍ରଥମ ଥର ପାଇଁ ଛୋଟ ପିଲାଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ଆଣିଲେ ୨୯ ହଜାର କୋଟିର ପୋଷଣ ବଜେଟ୍, ବଢ଼ିଲା ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠି

107

କନକ ବ୍ୟୁରୋ : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଏଥର ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଯାହାକି ବର୍ଷ ଗତବର୍ଷ ତୁଳନାରେ ୧୧ ଦଶମିକ ୧ପ୍ରତିଶତ ଅଧିକ । ଏହା ଏକ ଜନମଙ୍ଗଳକାରୀ ବଜେଟ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି । ଏଥିରେ ପୁଞ୍ଜିନିବେଶ, ବିକାଶ, ଭିତିଭୂମି, ଉନ୍ନୟନ ତଥା, ରୂପାନ୍ତରଣ, ଉପରେ ଗୁରୁତ୍ୱ ଦିଆଯାଇଛି ।

ଓଡିଶା ସରକାର ଏଥର କୁପୋଷଣ ସହ ଲଢେଇ ଘୋଷଣା କରିଛନ୍ତି । ଛୋଟ ଛୋଟ ଛୁଆଙ୍କୁ କେମିତି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ସେଥିପାଇଁ ପାଖାପାଖି ୨୯ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଦେଶରେ ପ୍ରଥମଥର ପାଇଁ ଏଭଳି ଏକ ନ୍ୟୁଟ୍ରିସନ ବଜେଟ୍ ଆଗତ କରାଯାଇଛି । ସେହିପରି କାଳିଆ ଟଙ୍କାକୁ ଚାହିଁଥିବା ହିତାଧିକାରୀଙ୍କ ପାଇଁ ବଜେଟରେ ଖୁସି ଖବର ଅଛି । ସରକାର ଏଥିପାଇଁ ୩ ହଜାର ୧୯୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ ହଜାର ୧୦୮ କୋଟି ଟଙ୍କା ବ୍ୟବସ୍ଥା କରିିଛନ୍ତି ।

ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରାଯିବା ଲାଗି ୩୨୦୮କୋଟି ଟଙ୍କାର ଅବଢ଼ା ଯୋଜନା, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଚର୍ତୁଃପାଶ୍ୱର୍ରେ ବିକାଶ ପାଇଁ ୭କୋଟିର ବ୍ୟୟବରାଦ କରାଯାଇଛି । ସମଲେଶ୍ୱରୀ ମନ୍ଦିର, ହୀରାକୁଦ ଡ୍ୟାମ୍, ଭିତରକନିକା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ସେହିପରି ବିଧାୟକଙ୍କ ହାତପାଣ୍ଠିକୁ ବୃଦ୍ଧି କରିଛନ୍ତି ସରକାର । ୧ କୋଟିରୁ ୩ କୋଟିକୁ ହାତପାଣ୍ଠିକୁ ବୃଦ୍ଧି କରାଯାଇଛି ।