ହାତ ଖୋଲିଦେଲେ ସରକାର ! ବଜେଟରେ ସବୁ ବର୍ଗର ଲୋକଙ୍କ ପାଇଁ ଆଣିଲେ ନୂଆ ଯୋଜନା

64

କନକ ବ୍ୟୁରୋ : ଆଜି ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । ଚଳିତବର୍ଷରେ ମୋଟ୍ ପରିମାଣ ରହିଛି ୧ ଲକ୍ଷ ୬ ହଜାର ୯୧୧ କୋଟି । ବଜେଟରେ ସବୁ ବର୍ଗର ଲୋକଙ୍କୁ ନଜରରେ ରଖି ବଜେଟ୍ ଉପସ୍ଥାପନ କରାଯାଇଛି । କୃଷି, ଜଳଚେସନ, ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ଗମନାଗମନ, ସହରାଂଚଳ ବିକାଶ, ଶିଶୁ କଲ୍ୟାଣ ଏବଂ ଛାତ୍ରଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି । ଏହି ସବୁ ଦିଗ ପାଇଁ ବହୁ ନୂଆ ଯୋଜନା ସବୁ ଆଣିଛନ୍ତି ରାଜ୍ୟ ସରକାର ।

ସେହିପରି ରାଜ୍ୟରେ ଅଭିବୃଦ୍ଧି ହାର ଜାତୀୟ ତୁଳନାରେ ବେଶ ଅଧିକ ଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । ବିମୁଦ୍ରାକରଣ ପରେ ରାଜ୍ୟରେ ପ୍ରତିକୁଳ ପ୍ରଭାବ ପଡିଥିବା ମଧ୍ୟ ବଜେଟ୍ ଅଭିଭାଷଣ ବେଳେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ୫ଥରରୁ ୪ ଥର ରାଜ୍ୟ କୃଷି କର୍ମଣ ପୁରସ୍କାର ପାଇଥିବା ସେ ସୂଚନା ଦେଇଛନ୍ତି । ସେହିପରି ଶିକ୍ଷା ଓ ଛାତ୍ରଙ୍କ ଦକ୍ଷତା ବିକାଶ ଉପରେ ଏହି ବଜେଟରେ ବିଶେଷ ଧ୍ୟାନ ଦିଆଯାଇଛି ।

ପଂଚାୟତ ନିର୍ବାଚନରେ ଝଟକା ଖାଇବା ପରେ, ହାତ ଖୋଲି ଦେଇଛନ୍ତି ନବୀନ ସରକାର । ବଜେଟରେ ନୂଆ ଯୋଜନାର ପସରା । ରାଜକୋଷ ଖୋଲି ଦେଲେ ଅର୍ଥମନ୍ତ୍ରୀ । ନୂଆ ଭୋଟ୍ ବ୍ୟାଙ୍କ ତିଆରି କରିବା ପାଇଁ ଚଳିତବର୍ଷରେ ଆସିଛି ଅନେକ ନୂଆ ଯୋଜନା । ଗାଁ ପରେ ଏବେ ସହରାଂଚଳ ଉପରେ ବିଜେଡି ଶାସନର ନଜର ।

ପୁରୀ ସହରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ଅବଢ଼ା । ଏଥିପାଇଁ ବ୍ୟୟବରାଦ ରହିଛି ଶହେ କୋଟି ଟଙ୍କା । ପୁରୀ ସହରକୁ ବିଶ୍ୱସ୍ତରୀୟ ଐତିହ ସମ୍ପନ ନଗରୀରେ ପରିଣତ କରିବା ହେଉଛି ଏହି ଯୋଜନାର ଉର୍ଦ୍ଦେଶ୍ୟ । ଯେଉଁଥରେ ପୁରୀକୁ ଆସୁଥିବା ଭକ୍ତ ଏବଂ ବିଦେଶାଗତ ପର୍ଯ୍ୟଟକ ଏହା ଦ୍ୱାରା ଉପକୃତ ହେବେ । ସେହିପରି ବିଜେପି ପରେ ଏବେ ଶାସକ ବିଜେଡିକୁ ମନେ ପଡ଼ିଛି ବକ୍ସିଜଗବନ୍ଧୁଙ୍କ ନାଁ । ପାଇକ ବିପ୍ଲବର ଏହି ସୁତ୍ରଧରଙ୍କ ନାଁରେ ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ-ବସୁଧା ଯୋଜନା ଆଣିଛନ୍ତି ସରକାର । ଏଥିପାଇଁ ଏକ ହଜାର ୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ସହରାଚଂଳ ଏବଂ ଗ୍ରାମାଚଂଳରେ ଜଳ ଯୋଗାଣ ଦିଗରେ ଏହି ଯୋଜନା କାର୍ଯ୍ୟକରିବ । ସହରାଚଂଳ ଏବଂ ଗ୍ରାମାଚଂଳ ପାଇଁ ଅଲଗା ଅଲଗା ଭାବରେ ଏହା କାମ କରିବ । ସହରାଂଚଳ ପାଇଁ ୩୧୫ କୋଟି ଏବଂ ଗ୍ରାମାଚଂଳ ପାଇଁ ୭୫୦ କୋଟି ବୟବରାଦ କରାଯାଇଛି । ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ନାଁରେ ଏକ ନୂଆଁ ଯୋଜନା ଆଣିଛନ୍ତି ସରକାର । ଏଥି ପାଇଁ ୩୪ କୋଟି ବ୍ୟୟବରାଦ କରାଯାଇଛି । ଯେଉଁଥିରେ କୁନି କୁନି ପିଲାଙ୍କ ପାଇଁ ପରିଧାନ ବ୍ୟବସ୍ଥା କରାଯିବ ।

ସେହିପରି ନଗର ରୁପାନ୍ତରିକରଣ ଉଦ୍ୟମ ପାଇଁ ଉନ୍ନତି ନାଁରେ ଏକ ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ଏଥି ପାଇଁ ବ୍ୟୟବରାଦ ରହିଛି ୨୯୮ କୋଟି । ସହରାଚଂଳ ରାସ୍ତା ଏବଂ ନାଗରିକ ସୁବିଧା ପାଇଁ ଏହି ଯୋଜନାରେ କାର୍ଯ୍ୟକ୍ରମ ସବୁ ହାତକୁ ନିଆଯିବ । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ନାଁରେ ଦୁଇଟି ନୂଆ ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଯଥାକ୍ରମେ ୯୦ କୋଟି ଏବଂ ୫ କୋଟି ରଖାଯାଇଛି । ସେହିପରି ବରିଷ୍ଠ ବୁଣାକାର ସହାୟତା ଯୋଜନା ଆଣିଛନ୍ତି ସରକାର । ଏଥିପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥି ଯୋଜନାରେ ୬୦ରୁ ୮୦ ବର୍ଷ ବୟସ୍କ ବୁଣାକାରଙ୍କ ପାଇଁ ୫ଶହ ଏବ୦ ୭ଶହ ଟଙ୍କା ଭତା ଯୋଗାଇ ଦିଆଯିବ ।

ବିଚ୍ଛିନ୍ନାଚଂଳ ଗାଁକୁ ସଂଯୋଗିକରଣ ଯୋଜନା ନାଁରେ ଏକ ନୂଆ ଯୋଜନା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ୧୭ଟି ମାଓ ପ୍ରଭାବିତ ଜିଲ୍ଲାର ୧୪୨ଟି ଗାଁକୁ ସଂଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିରେ ସାଧାରଣ ଯୁବକ ଯୁବତୀ ଯେଉଁମାନେ ପାଠପଢ଼ାରୁ ବଂଚିତ ହୋଇଛନ୍ତି ସେମାନଙ୍କ ପାଠପଢ଼ା ଦିଗରେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରିବ ।