ଗାଁକୁ ଯିବେ ଷ୍ଟାର୍ : ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା

48

କନକ ବ୍ୟୁରୋ : ଦାନମାଝୀ । ନିଜ ସ୍ତ୍ରୀର ଶବକୁ ବୋହି ଚର୍ଚ୍ଚାକୁ ଆସିଥିଲେ ଏହି ଅପରିଚିତ ଆଦିବାସୀ । ରାହୁଲ ନାୟକ । କନ୍ଧମାଳର ଏହି ଯୁବକଙ୍କ ବାପାମାଆଙ୍କୁ ମାଓବାଦୀ ଭାବି ସୁରକ୍ଷାକର୍ମୀ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଆଉ କେଶମତି ପ୍ରଧାନ ହେଉଛନ୍ତି ମଦ ବିରୋଧୀ ଆନ୍ଦୋଳନର ଅନ୍ୟତମ ସୂତ୍ରଧର । ଘଟଣା ଓ ପ୍ରସଙ୍ଗକୁ ନେଇ ଚର୍ଚ୍ଚିତ ଥିବା ଚେହେରାଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ସାମ୍ନାକୁ ଆଣିବ କଂଗ୍ରେସ । ଯାହାକୁ ନେଇ ଓ ଯେଉଁ ପ୍ରସଙ୍ଗକୁ ନେଇ ହରଡଘଣାରେ ପଡିଥିଲେ ରାଜ୍ୟ ସରକାର । ତେବେ କଂଗ୍ରେସର ଏ ଷ୍ଟାର କ୍ୟାମ୍ପେନ୍ ଷ୍ଟ୍ରାଟେଜିକୁ ସମାଲୋଚନା କରିଛନ୍ତି ବିରୋଧୀ ।

ସେପଟେ ସଂଶୋଧିତ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିବାକୁ ଯାଉଛି ବିଜେପି । କାରଣ ରାଜ୍ୟର ପଂଚାୟତ ନିର୍ବାଚନରେ ଏବେ ମୁଣ୍ଡ ଖେଳାଇଛି ଦିଲ୍ଲୀ । ଦଳୀୟ ସୂଚନା ମୁତାବକ ଷ୍ଟାର କ୍ୟାମ୍ପେନର ତାଲିକାର ଆଗରେ ରହିବେ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂ । ଆଉ ସେ କହିବେ ସାମାଜିକ ପ୍ରତିବଦ୍ଧତା ପାଇଁ ଆଗେଇ ଆସିଥିବା ବିଜେପି ଶାସିତ ଅନ୍ୟାନ୍ୟ ରାଜ୍ୟର ସଫଳତାର କଥା । ଆଉ ଟାର୍ଗେଟ କରିବେ ପଶ୍ଚିମ ଓଡିଶାକୁ । ତେବେ ମହାନଦୀର ପାଣି ଅଟକାଉଥିବା ଏହି ପଡୋଶୀ ମୁଖ୍ୟମନ୍ତ୍ରୀଙ୍କୁ କେମିତି ଗ୍ରହଣ କରିବେ ରାଜ୍ୟବାସୀ ,ତାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଏହି ଷ୍ଟାର୍ ତାଲିକାରେ ଯୋଡା ହୋଇଛି ରାମକ୍ରିପାଲ ଯାଦବ ଓ ବିଷ୍ଣୁଦେଓ ସାଇଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ନାଁ । ଏହାସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ଓଡିଶା ଆସିବେ ପ୍ରଚାର ପାଇଁ । ଆଉ ଏହି ଷ୍ଟାର କ୍ୟାମ୍ପେନର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ବିଜେପିର ରାଷ୍ଟ୍ରୀୟ ସଂଗଠକ ସୈାଦାନ୍ ସିଂ ।

ସବୁଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଆପାତତଃ ଚୁଡାନ୍ତ ହୋଇଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଶହେ ପ୍ରତିଶତ ପ୍ରାର୍ଥୀ ତାଲିକା ପ୍ରକାଶ କରି ପାରିନାହାଁନ୍ତି କୈାଣସି ଦଳ ।

ଏହାସହ ଦେଖନ୍ତୁ ଏହି ଭିଡିଓ –