ନୂଆ ଗାଡି କିଣୁଛନ୍ତି କି? ଧ୍ୟାନ ଦିଅନ୍ତୁ, ନଚେତ ୧୦ ହଜାର ଟଙ୍କାର ଜରିମାନା ସହ ୧ ବର୍ଷ ପର୍ଯ୍ୟନ୍ତ ହୋଇପାରେ ଜେଲ୍ ଦଣ୍ଡ ।

12,920

କନକ ବ୍ୟୁରୋ : ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଗାଡି ଚାଳକଙ୍କ ନିଦ ହଜିଯାଇଛି । ଗାଡିର ବୀମା, କାଗଜପତ୍ର, ଲାଇସେନ୍ସ ଆଦି ପାଖରେ ନରଖି ଗାଡି ଚଳାଇଲେ ଦେବାକୁ ପଡୁଛି ମୋଟା ଅଙ୍କର ଜରିମାନା । ରାଜ୍ୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି । କେଉଁଠି ଟ୍ରକ ଉପରେ ୬ ଲକ୍ଷରୁ ଅଧିକ ଟଙ୍କାର ଚାଲାଣ କଟାଯାଇଛି ତ ପୁଣି କେଉଁଠି ବିନା ରେଜିଷ୍ଟ୍ରେସନରେ ସ୍କୁଟି ବିକ୍ରି ପାଇଁ ସୋରୁମ ମାଲିକଙ୍କ ନାଁରେ ୧ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । ଏପରିକି ଜରିମାନା ଆଦାୟକୁ ନେଇ ଭୁବନେଶ୍ୱରରେ ପୋଲିସ ଓ ପବ୍ଲିକ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ କରି ଆସୁଛନ୍ତି ସରକାର । ଖାସକରି ରାଜ୍ୟ ପରିବହନ ଆୟୁକ୍ତ ଏବେ ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ସଚେତନ କରିବା ଆରମ୍ଭ କରିଛି ।

ନୂଆ କରି ଗାଡି କିଣୁଥିବା ବ୍ୟକ୍ତିଙ୍କୁ ସଚେତନ କରିବାକୁ ଯାଇ ରାଜ୍ୟ ପରିବହନ ଆୟୁକ୍ତ ଏକ ଟ୍ୱିଟ୍ କରିଛି । ଯେଉଁଥିରେ ସାଧାରଣ ଲୋକ ଓ ଗାଡି ଡିଲରଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ବିଭାଗ । ମୋଟରଯାନ ଆଇନ ୧୯୮୮ର ଧାରା ୪୧(୬) ଆଧାରରେ ଡିଲର ମାନେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟରେ ସ୍ଥାୟୀ ରେଜିଷ୍ଟ୍ରେସନ ନମ୍ବର ନ ଲେଖି ଗ୍ରାହକଙ୍କୁ ଗାଡି ହସ୍ତାନ୍ତର କରିପାରିବେ ନାହିଁ । ଏହାକୁ ଖିଲାପ କଲେ ଉଭୟ ଗାଡି ମାଲିକ ଓ ଡିଲର ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏପରିକି ସମ୍ପୃକ୍ତ ଡିଲରଙ୍କ ଟ୍ରେଡ ସାର୍ଟିଫିକେଟ ମଧ୍ୟ ରଦ୍ଦ କରାଯିବ ବୋଲି କହିଛି ବିଭାଗ ।ତେଣୁ ନୂତନ ଗାଡି କିଣୁଥିବା ବେଳେ ଅନେକ ଗୁଡିଏ ଦିଗ ଉପରେ ନଜର ଦେବାକୁ କହିଛି ବିଭାଗ । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟରେ ସ୍ଥାୟୀ ରେଜିଷ୍ଟ୍ରେସନ ନମ୍ବର ନଥିଲେ ଗାଡି ନ କିଣିବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ ।

ତେବେ ବିନା ରେଜିଷ୍ଟ୍ରେସନର ଗାଡି ବ୍ୟବହାର କରୁଥିଲେ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କାର ଜରିମାନା ସହ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି । ଏହାପୂର୍ବରୁ ଗତ କିଛି ଦିନ ତଳେ କଟକ ବାରଙ୍ଗରେ ଏକ ବିନା ରେଜିଷ୍ଟ୍ରେସନ ନମ୍ବରର ସ୍କୁଟି ଧରାପଡିଥିଲା । ବିନା ରେଜିଷ୍ଟ୍ରେସନ ନମ୍ବରରେ ସ୍କୁଟି ବିକ୍ରି କରିଥିବାରୁ ଗାଡି ସୋରୁମ ଉପରେ ୧ ଲକ୍ଷ ଟଙ୍କାର ଚାଲାଣ କାଟିଥିଲା ପରିବହନ ବିଭାଗ । ଏପରିକି ତାଙ୍କ ଟ୍ରେଡ ଲାଇସେନ୍ସ ରଦ୍ଦ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି କିଣିବା କିମ୍ବା ବିକ୍ରି ନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପରିବହନ ଆୟୁକ୍ତ ।