ଆଜି ବସିବ ଛତିଶାନିଯୋଗ ବୈଠକ ! ଦାନ ନେବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ହେବ ଆଲୋଚନା

26

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ଭକ୍ତଙ୍କଠାରୁ ସେବାୟତ ମାନେ ଦାନ ଗ୍ରହଣ ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ବସିବ ଛତିଶାନିଯୋଗ ବୈଠକ । ଆଜିର ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଲୋଚନା ହେବ । ତେବେ ଏହି ନିର୍ଦ୍ଦେଶ ପରେ ଚିହିଁକି ଉଠିଛନ୍ତି ଦଇତାପତି ସେବାୟତ । ପରୋକ୍ଷରେ କହିଛନ୍ତି, ଭକ୍ତଙ୍କ ଠାରୁ ଦାନଅର୍ଥ ଗ୍ରହଣ କରିବାକୁ ସେମାନଙ୍କୁ କେହି ରୋକି ପାରିବେ ନାହିଁ । ଯଦି ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରାଯାଏ, ତେବେ ଖୋଲାଖୋଲି ବିଦ୍ରୋହ ହେବ । ଆଗକୁ ରଥଯାତ୍ରା ଆସୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବା, ପ୍ରଶାସନ ପାଇଁ ଏକ ଚ୍ୟାଲେଂଜ୍ ପାଲଟିଛି ।

ଶ୍ରୀମନ୍ଦିର ଦାନ ଉପରେ ସୁପ୍ରିମକୋର୍ଟଙ୍କ କଟକଣାର ପ୍ରଭାବ

ସୁପ୍ରିମକୋର୍ଟ ଗତ ୮ ତାରିଖ ଦିନ ଶ୍ରୀମନ୍ଦିରରେ ଦାନ ଅର୍ଥ ସେବାୟତ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଏ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିଲା। ତେବେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ନିର୍ଦେଶ କାର୍ଯ୍ୟକାରୀ ହେବାର ଦିନକ ପରେ ଗତାକିଲ ହଠାତ୍ ଦାନର ପରିମାଣ ନିୟମିତ ହୁଣ୍ଡି ଆୟର ୩ ଗୁଣା ବଢିଥିବା ପରିଲକ୍ଷିତ ହୋଇଛି। ଗତାକିଲ ହୁଣ୍ଡରୁ ୧୦ଲକ୍ଷ ୪୭ ହଜାର ୫୦୧ ଟଙ୍କା ଆୟ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଏହାକୁ ହୁଣ୍ଡିର ସର୍ବାଧିକ ଆୟ ବୋଲି କୁହାଯାଉଛି। ଗତାକିଲ ହୁଣ୍ଡିରୁ ୧୧ ଗ୍ରାମ ୮୪୦ ମିଲିଗ୍ରାମ ସୁନା ଓ ୯୨ ଗ୍ରାମ ରୁପା ମିଳିଛି। ଗତାକିଲ ଗୋଟିଏ ଦିନରେ ହଠାତ୍ ହୁଣ୍ଡିରୁ ଆୟ ୧୦ଲକ୍ଷ ଟଙ୍କା ଅତିକ୍ରମ କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରଭାବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଭକ୍ତମାନେ ଦାନ ଦେବାକୁ ଚାହୁଁଥିଲେ। ଦ୍ଵନ୍ଦ୍ୱ ଯୋଗୁଁ ହୁଣ୍ଡିରେ ଦାନ ଦେବାକୁ ଆଗ୍ରହ ପ୍ରକାଶ କରୁନଥିଲେ। ମାତ୍ର ହୁଣ୍ଡି ଅର୍ଥ ସେବକ ନେଇ ପାରିବେ ନାହିଁ, ଏହା ମହାପ୍ରଭୁଙ୍କ କାମରେ ଲାଗିବ ଏ କଥା ସ୍ପଷ୍ଟ ହେବା ପରେ ଏଭଳି ଦାନ ବଢିଥିବା କୁହାଯାଉଛି।

ସେପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିରୋଧରେ ପୁଣି କୋର୍ଟ ଯିବାକୁ ସେବାୟତ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସ୍ଥିତି ଅନୁଧ୍ୟାନ ଲାଗି ଶ୍ରୀମନ୍ଦିର ଯିବେ ଜିଲ୍ଲା ଜଜ । ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ସହ ଆଲୋଚନା କରିବେ ଜଜ୍ । ସ୍ଥିତି ଅନୁଧ୍ୟାନ ପରେ ସର୍ବୋଚ୍ଚନ୍ୟୟାଳୟକୁ ରିପୋର୍ଟ ଦେବେ । ଶ୍ରୀମନ୍ଦିରର ପରିଚାଳନ ବିଭ୍ରାଟକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲା କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍ କରିଥିଲେ ।