ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା , କହିଲେ, ବଂଶାନୁକ୍ରମ ସେବା  ବନ୍ଦ ନେଇ ସର୍ବୋଚ୍ଚ ନ୍ୟାୟଳୟର ନିୟମ ପାଳିବ କଷ୍ଟକର । 

25

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ  ନିର୍ଦ୍ଦେଶ  ଉପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜୟ କହିଛନ୍ତି, ବର୍ତ୍ତମାନର ପରିପ୍ରେକ୍ଷୀରେ  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା କଷ୍ଟକର ।  ବଂଶାନୁକ୍ରମିକ ସେବା ବନ୍ଦ କରିବା ବର୍ତମାନ ପାଇଁ ସମ୍ଭବ ନୁହେଁ । ଏଥିପାଇଁ ୧୯୫୨-ଶ୍ରୀମନ୍ଦିର ଆଇନରେ ସଂଶୋଧନ ହେବା ଦରକାର । ଜଗନ୍ନାଥଙ୍କ ସେବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କ ରାୟ ନା ଶ୍ରୀମନ୍ଦିର ଆଇନ କାହାକୁ ମାନିବ ତାକୁ ନେଇ ପ୍ରଶ୍ନ ଉଠିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ  ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଆଲୋଚନା କରିବାକୁ ବିଜୟ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏ ବାବଦରେ ସରକାର ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ସହ ଗଜପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ଦରକାର  । ଏଥିରେ ଶଙ୍କରାଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ସାମିଲ କରାଯାଉ । ଆମିକସ କ୍ୟୁରି ଓଡିଶା ଆସିଲେ ଶ୍ରୀମନ୍ଦିର ସଂସ୍କାର ସମ୍ବନ୍ଧିତ ପ୍ରସ୍ତାବ ସେ ଦେବେ ବୋଲି କହିଛନ୍ତି ବିଜେପି ନେତା । ସେ ଅଭିଯୋଗ କରିଛନ୍ତି, ଶ୍ରୀମନ୍ଦିରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ କରାଯାଉଛି ।

 

ତେବେ ଏଥି ମଧ୍ୟରେ ଖୋଲାହେଲା କାକଟପୁର ମା’ ମଙ୍ଗଳାଙ୍କ ହୁଣ୍ଡି ।  ୨୦୧୬ ପରଠୁ ଏବେ ଯାଏ ହୁଣ୍ଡି ଖୋଲା ହୋଇନଥିଲା ।ପରିଚାଳନା କମିଟିରେ ବିଶୃଙ୍ଖଳା ଯୋଗୁଁ ହୁଣ୍ଡି ଖୋଲା ହୋଇ ପାରିନଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆସେମ୍ଲି ଷ୍ଟାଣ୍ଡିଂ କମିଟି ଯାଇଥିଲେ । ତହସିଲଦାର, ଦେବୋତର ବିଭାଗ ସଦସ୍ୟ, ମଙ୍ଗଳା ସେବକର ସମିତି ସଭ୍ୟ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଛି । ମା’ଙ୍କର ୨ଟି ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି ।