ଶ୍ରୀମନ୍ଦିର ଫଟୋ ଭାଇରାଲ ନେଇ ୨ଜଣଙ୍କ ନାଁରେ ମାମଲା ରୁଜୁ । ସିଂହଦ୍ୱାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ।

35

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ନେଇ ୨ ଜଣଙ୍କ ନାଁରେ ମାମଲା ରୁଜୁ । ସିଂହଦ୍ୱାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ଫଟୋ ଅପଲୋଡ କରିଥିବା ପୁଣେର ଆକାଶ ମାଡକେ ଓ ରାୟପୁରର ଯୁଗଳ କିଶୋର ବୈଷ୍ଣବଙ୍କ ନାଁରେ ମାମଲା ରୁଜୁ କରାଯାଇଛି । କୋଇଲି ବୈକୁଣ୍ଠ ଓ ଭିତର ଭେଡାରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଥିଲେ ଦୁଇ ଯୁବକ । ଗତ ୧୧ ଓ ୧୩ତାରିଖରେ ଏନେଇ ଖବର ପ୍ରସାରଣ ହୋଇଥିଲା । କଡା କଟକଣା ସତ୍ୱେ ଶ୍ରୀମନ୍ଦିର ଭିତର କିଭଳି ବାରମ୍ବାର ଫଟୋ ଉଠାଇ ଭାଇରାଲ କରାଯାଉଛିି , ତାହାକୁ ନେଇ ପ୍ରଶ୍ନ ଉଠିଛି ।

ପୂର୍ବରୁ ଫେସବୁକରେ ଭାଇରାଲ ହୋଇଥିଲା ପୁରୀ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ । ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ବେଳେ ଏଏସଆଇର ଗର୍ଭଗୃହ ଅନୁଧ୍ୟାନ ସମୟର ଫଟୋ ବୋଲି ଅନୁମାନ କରାଯାଉଛି । ପ୍ରତିବର୍ଷ ରଥଯାତ୍ରା ବେଳେ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହୋଇଥାଏ । ଏଏସଆଇ ଓ ଅନ୍ୟ ସଂସ୍ଥା ରଥଯାତ୍ରା ସମୟରେ ଗର୍ଭଗୃହର ଅନୁଧ୍ୟାନ କରିଥାନ୍ତି ।

ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଖପ୍ପା ହୋଇଥିଲେ ସେବାୟତ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ମାନେ ଦାବି କରିଥିଲେ । ଏଏସଆଇ ଟିମର ଗର୍ଭଗୃହ ଅନୁଧ୍ୟାନ ପୂର୍ବରୁ ସର୍ଭେ ପାଇଁ ଆସିଥିବା ସଦାନନ୍ଦ ଶର୍ମା ଗର୍ଭଗୃହ ଫଟୋକୁ ନିଜ ଫେସବୁକ ଆକାଉଂଟରେ ପୋଷ୍ଟ କରିଥିଲେ । ତେବେ ଏନେଇ ଥିବା କଟକଣା ସଂପର୍କରେ ସେ ଅନଭିଜ୍ଞ ଥିଲେ ଏବଂ ଫଟୋ ଭାଇରାଲ ହେବା ପରେ ଏକ ଇମେଲ ଜରିଆରେ ସେ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ କ୍ଷମା ପ୍ରାର୍ଥନା କରିଥିଲେ ।

ପୂର୍ବରୁ ମଧ୍ୟ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । । ଏମିତି କି ଗୁଣ୍ଡିଚା ମନ୍ଦିରର ରତ୍ନସିଂହାସନରେ ବିଜେ ମହାବାହୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ତେବେ ଏହି ଘଟଣା ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା ।