ଲାଗିଛି ସିସିଟିଭି, ଚାଲିଛି କଡ଼ା ଚେକିଂ ! କେମିତି ଶ୍ରୀମନ୍ଦିର ଭିତରକୁ ଗଲା ମୋବାଇଲ୍ ? 

329

କନକ ବ୍ୟୁରୋ : ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ । କଡା କଟକଣା ସତ୍ତେ୍ୱ ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ହିତେଶ ସୋନାନି ଗୁଜୁରାଟ ସୁରଟର ଲୋକ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରୁ ଏହି ବ୍ୟକ୍ତିଜଣଙ୍କ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଛନ୍ତି । ତେବେ କଡା କଟକଣା ସତ୍ତେ୍ୱ ବାରମ୍ବାର କିପରି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେଉଛି, ତାହା ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୂର୍ବରୁ ଫେସବୁକରେ ଭାଇରାଲ ହୋଇଥିଲା ପୁରୀ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ । ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ବେଳେ ଏଏସଆଇର ଗର୍ଭଗୃହ ଅନୁଧ୍ୟାନ ସମୟର ଫଟୋ ବୋଲି ଅନୁମାନ କରାଯାଉଛି । ପ୍ରତିବର୍ଷ ରଥଯାତ୍ରା ବେଳେ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହୋଇଥାଏ ।

ଏଏସଆଇ ଓ ଅନ୍ୟ ସଂସ୍ଥା ରଥଯାତ୍ରା ସମୟରେ ଗର୍ଭଗୃହର ଅନୁଧ୍ୟାନ କରିଥାନ୍ତି । ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଖପ୍ପା ହୋଇଥିଲେ ସେବାୟତ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ମାନେ ଦାବି କରିଥିଲେ । ପୂର୍ବରୁ ମଧ୍ୟ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । । ଏମିତି କି ଗୁଣ୍ଡିଚା ମନ୍ଦିରର ରତ୍ନସିଂହାସନରେ ବିଜେ ମହାବାହୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା ।