ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତି ପରେ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରତିିକ୍ରିୟା ! କହିଲେ, ସରକାର ଦେଇଥିବା ଦାୟିତ୍ୱ ଶାନ୍ତିଶୃଙ୍ଖଳାର ସହ କରିବି

17

କନକ ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ୍ତ ମହାପାତ୍ର । ପୂର୍ବରୁ ଆରଡିସି , ଶ୍ରୀମନ୍ଦିର ପ୍ରଶାସକ ଭାବେ କାମ କରିଛି । ୧୯୯୮ରେ ରଥଯାତ୍ରାର ମାସେ ପୂର୍ବରୁ ଜିଲ୍ଲାପାଳ ଦାୟିତ୍ୱ ନେଇଥିଲି । ସରକାର ଯେଉଁ ଦାୟିତ୍ୱ ଦେଇଛନ୍ତି ଶାନ୍ତି ଶୃଙ୍ଖଳାର ସହ କରିବି ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେବକ ଓ କର୍ମଚାରୀଙ୍କ ସହ ମିଶି ମିଳିମିଶି କାମ କରିବ । ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ହେବା ତାଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି । ଭଗବାନଙ୍କ ଆର୍ଶୀବାଦରୁ କାମ କରିବି ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।

ଉଲ୍ଲେଖ ଥାଉ କି, ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା ଓ ରତ୍ମଭଣ୍ଡାର ଚାବି ହଜିବାକୁ ନେଇ ତମ୍ବିତୋଫାନ ଭିତରେ ଗତକାଲି ହଠାତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇ ଦିଆଯାଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଉ ରଥଯାତ୍ରା ପୂର୍ବରୁ ଅଚାନକ ପିକେ ଜେନାଙ୍କୁ ହଟାଇ ଦିଆଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ତରବରିଆ ଭାବେ ପ୍ରଦୀପ ଜେନାଙ୍କୁ ହଟାଇ ଦିଆଗଲା? ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ପରିଚାଳନା କରିବାରେ ପିକେ ଜେନା ଅସମର୍ଥ ହେବେ ବୋଲି ସରକାର ଆଶଙ୍କା କରୁଥିଲେ କି? କାରଣ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପିକେ ଜେନାଙ୍କ ଉପରେ ଅଙ୍ଗୁଳି ଉଠିଥିଲା ।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ମଧ୍ୟ ବିବାଦ ଉପୁଜିଥିଲା । ଦାନ ଟଙ୍କାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତରବରିଆ ଭାବେ ଲାଗୁ କରିଥିବା ନେଇ ସେବାୟତମାନେ ଅଭିଯୋଗ କରିଆସୁଥିଲେ । ପୂର୍ବରୁ ଜଗମୋହନ ମରାମତି ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲଭାବେ କାର୍ଯ୍ୟକାରୀ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । ଶ୍ରୀମନ୍ଦିର ଗର୍ଭ ଗୃହକୁ ସେବାୟତଙ୍କ ସଂପର୍କୀୟ ପ୍ରବେଶ କରିବା ନେଇ, ହାଇକୋର୍ଟ କୌଣସି ଟିପ୍ପଣୀ କରିନଥିବା କହିବା ପରେ ବିବାଦକୁ ଆସିଯାଇଥିଲେ ପ୍ରଦୀପ କୁମାର ।