ରୋହିତ-ରାହୁଲଙ୍କ ଶାନଦାର ଶତକ । ଲିଗ୍ ଶେଷରେ ଶ୍ରୀଲଙ୍କା ଶିକାର କଲା ବିରାଟ ବାହିନୀ, ବଡ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ ।

367

କନକ ବ୍ୟୁରୋ : ଲିଗ ପର୍ଯ୍ୟାୟ ଶେଷରେ ଶ୍ରୀଲଙ୍କା ଶିକାର କଲା ବିରାଟ ବାହିନୀ । ଆଜି ବିଶ୍ୱକପରେ ଖେଳାଯାଉଥିବା ୪୪ତମ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବଡ ବିଜୟ ସହ ବର୍ତ୍ତମାନ ସମୟରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ । ଆଜି ଲିଡସ ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ ସିଂହଳି ଦଳ । ତେବେ ଭାରତୀୟ ବୋଲରଙ୍କୁ ସାମନା କରିପାରିନଥିଲେ ଶ୍ରୀଲଙ୍କାର ଟପ୍ ଅଡର । ମାତ୍ର ୫୫ ରନରେ ୪ଟି ୱିକେଟ୍ ହରାଇବା ପରେ ମାଥ୍ୟୁ ଓ ଥୀରିମାନେ ବ୍ୟାଟିଂ ଭାର ସମ୍ଭାଳି ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ । ମାଥ୍ୟୁଙ୍କ ଶତକ ଓ ଥୀରିମାନେଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୪ ରନ୍ କରିବାକୁ ସମର୍ଥ ହୋଇଛି ଶ୍ରୀଲଙ୍କା । ଯଶପ୍ରୀତ ବୁମରାଙ୍କୁ ୩ଟି ୱିକେଟ୍ ମିଳିଥିବା ବେଳେ ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ ଓ ହାର୍ଦ୍ଧିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

୨୬୫ ରନର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ପୁଣି ଥରେ ଓପନିଂ ଯୋଡ଼ିରେ ଶତକୀୟ ଭାଗିଦାରୀ କରିବାରେ ସଫଳ ହୋଇଛନ୍ତି । ଅନ୍ୟପଟେ ଭାରତ-ଶ୍ରୀଲଙ୍କା ବିଶ୍ୱକପ୍ ଟକ୍କରରେ ପୁଣିଥରେ ଦେଖିବାକୁ ମିଳିଛି ଓପନର୍ ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ । ବିଶ୍ୱକପ୍ କ୍ରିକେଟର ଗୋଟିଏ ସିଜିନରେ ସର୍ବାଧିକ ଶତକ ଓ ସର୍ବାଧିକ ରନ୍ ସ୍କୋର କରି ଦୁଇଟି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ରୋହିତ ଶର୍ମା । ସେହିପରି ଲୋକେଶ ରାହୁଲ ମଧ୍ୟ ବିଶ୍ୱକପରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି ।