ଶ୍ରୀକାନ୍ତଙ୍କୁ ଐତିହାସିକ ଟ୍ରଫି ! ଇଣ୍ଡୋନେସିଆ ଓପନ୍‌ ଜିତିବାରେ ପ୍ରଥମ ଭାରତୀୟ

19

କନକ ବ୍ୟୁରୋ : ଗତକାଲି ଥିଲା ଭାରତ ପାଇଁ ‘ସୁପର ସଣ୍ଡେ’ । ଆଉ ଏହି ‘ସୁପର ସଣ୍ଡେ’ରେ ଭାରତ ତିନିଟି ଭିନ୍ନ ଭିନ୍ନ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା । ଲଣ୍ଡନରେ ଭାରତୀୟ ଦଳ କ୍ରିକେଟ୍‌ (ଚାମ୍ପିଅନ୍‌ସ ଟ୍ରଫି ଫାଇନାଲ୍‌) ଏବଂ ହକି (ହକି ବିଶ୍ୱ ଲିଗ୍‌ ସେମିଫାଇନାଲ୍‌ ପର୍ଯ୍ୟାୟ)ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା । ଏହା ବ୍ୟତୀତ ଜାକର୍ତାରେ ଇଣ୍ଡୋନେସିଆ ଓପନ୍‌ ସୁପର ସିରିଜ୍‌ ପ୍ରିମିୟର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲ୍‌ରେ ମଧ୍ୟ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଅବତୀର୍ଣ୍ଣ ହୋଇଥିଲେ ।

ତେବେ ଏହି ତିନି ମୁକାବିଲା ମଧ୍ୟରୁ ଭାରତକୁ ‘ସୁପର ସଣ୍ଡେ’ର ପ୍ରଥମ ବିଜୟ ଭେଟି ଦେଇଥିଲେ ଶ୍ରୀକାନ୍ତ । ଜାପାନର କାଜୁମାସା ସାକାଇଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ୍‌ ଟ୍ରଫି ହସ୍ତଗତ କରିବା ଭାରତ ପାଇଁ ଗୌରବର କଥା ଥିଲା । ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଶ୍ରୀକାନ୍ତଙ୍କ ଏହି ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାରାଦେଶରୁ ତାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି ।

ଫାଇନାଲ୍‌କୁ ଓହ୍ଲାଇବା ପୂର୍ବରୁ ବିଶ୍ୱ ମାନ୍ୟତାର ୪୭ ସାକାଇଙ୍କ ବିପକ୍ଷରେ ବିଶ୍ୱ ମାନ୍ୟତାର ୨୪ ଶ୍ରୀକାନ୍ତ ଟ୍ରଫି ଜିତିବା ପାଇଁ ସମସ୍ତଙ୍କ ପସନ୍ଦ ଥିଲେ । ସେମିଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ଶୀର୍ଷ ଖେଳାଳି ସୁନ୍‌ ଓ୍ଵାନ୍‌ ହୁନ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ ଆସିଥିବାରୁ ତାଙ୍କ ଆତ୍ମବିଶ୍ୱାସ ମଧ୍ୟ ଉଚ୍ଚ ଥିଲା । ପୁଣି ଗତମାସରେ ସିଙ୍ଗାପୁର ଓପନ୍‌ ଫାଇନାଲ୍‌ରେ ନିଜ ଦେଶର ବି ସାଇ ପ୍ରଣୀତଙ୍କ ନିକଟରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବାରୁ ଏଠାରେ ବିଜୟୀ ହେବାର ସ୍ୱପ୍ନ ରଖିଥିଲେ ।

ଅନ୍ୟପକ୍ଷରେ ଅଲିମ୍ପିକ୍‌ ରୌପ୍ୟ ବିଜେତା ଲି ଚୋଙ୍ଗ୍‌ ଓ୍ଵି ଏବଂ ରିଓ ସ୍ୱର୍ଣ୍ଣ ବିଜେତା ଚେନ୍‌ ଲଙ୍ଗ୍‌ଙ୍କୁ ପରାସ୍ତ କରିଥିବା ଅନ୍ୟତମ ଭାରତୀୟ ଏଚ୍‌ ଏସ୍‌ ପ୍ରଣୟ ଏଠାରେ ସେମିଫାଇନାଲ୍‌ରେ ହାରିଯାଇଥିବାରୁ ଶ୍ରୀକାନ୍ତଙ୍କ ପାଇଁ ବାଟ ପରିସ୍କାର ହୋଇଯାଇଥିଲା । ଫଳରେ ୨୪ ବର୍ଷ ବୟସ୍କ ଶ୍ରୀକାନ୍ତ ପ୍ରତିଯୋଗିତାରେ ନିଜର ଆଧିପତ୍ୟ ଜାରି ରଖି ଫାଇନାଲ୍‌ରେ ସାକାଇଙ୍କୁ ୨୧-୧୧ ଓ ୨୧-୧୯ରେ ପରାସ୍ତ କରିଦେଇଥିଲେ ।

ଏଥି ସହିତ ଶ୍ରୀକାନ୍ତ ମଧ୍ୟ ନିଜର ଦ୍ୱିତୀୟ ସୁପର ସିରିଜ୍‌ ପ୍ରିମିୟର ଏବଂ ତୃତୀୟ ସୁପର୍‌ ସିରିଜ୍‌ ଟ୍ରଫି ହାତେଇ ନେଲେ। ଶ୍ରୀକାନ୍ତ ନିଜର ପ୍ରଥମ ସୁପର ସିରିଜ୍‌ ପ୍ରିମିୟର ଟ୍ରଫି ୨୦୧୪ ଚାଇନା ଓପନ୍‌ରେ ଜିତିଥିଲା ବେଳେ ୨୦୧୫ରେ ଇଣ୍ଡିଆନ୍‌ ଓପନ୍‌ ସୁପର୍‌ ସିରିଜ୍‌ ଟ୍ରଫି ହାତେଇଥିଲେ।