ବହିଷ୍କାର ପରେ ବିଷ ଓଗାଳିଲେ ଶ୍ରୀକାନ୍ତ । କହିଲେ, ନବୀନ ଓ ରାହୁଲଙ୍କ ଭିତରେ ହୋଇଛି ଗଠବନ୍ଧନ, କଂଗ୍ରେସକୁ ଚଳାଉଛନ୍ତି ଖଣି ମାଫିଆ ।

160

କନକ ବ୍ୟୁରୋ : ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରିବା ପରେ ସରଗରମ ହୋଇଛି ରାଜନୀତି । ନିଜ ନାଁରୁ ଦଳୀୟ ବ୍ରାଣ୍ଡ ଚାଲିଯିବା ପରେ ଜଣେ ନେତାଙ୍କ ଯେଉଁ ଅବସ୍ଥା ହୁଏ, ବର୍ତମାନ ସେହି ସମାନ ଅବସ୍ଥା ଦେଇ ଗତି କରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସରୁ ସଦ୍ୟ ବହିଷ୍କୃତ ହୋଇଥିବା ନେତା ଶ୍ରୀକାନ୍ତ ଜେନା । ନିଜ ଗୋଡ଼ରେ କୁରାଢ଼ି ମାରି ଦଳରୁ ବିଦା ହୋଇଥିବା ଶ୍ରୀକାନ୍ତ ଜେନା ଏବେ ତାଙ୍କୁ ଗଢ଼ିଥିବା ଦଳ ଉପରେ ଗଳା ଫଟାଇ ବର୍ଷିଛନ୍ତି । କଂଗ୍ରେସ ଖଣିମାଫିଆଙ୍କ ଦ୍ୱାରା ଚାଲିଛି ଏବଂ ରାହୁଲ ଗାନ୍ଧୀ ମଧ୍ୟ ମୁଣ୍ଡ ନୁଆଇଁ ଆତ୍ମସମର୍ପଣ କରିଛନ୍ତି ବୋଲି ଶ୍ରୀକାନ୍ତ ଅଭିଯୋଗ ଆଣିଛନ୍ତି । ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି- ଶ୍ରୀକାନ୍ତ ଜେନାଙ୍କ ମୁହଁରୁ ଏସବୁ କଥା ଶୋଭା ପାଏନି । ଲୋକ ବିଚାର କରିବେ କିଏ ଠିକ୍ କିଏ ଭୁଲ ।

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଯେଉଁ ଦଳ ଶ୍ରୀକାନ୍ତଙ୍କୁ କେନ୍ଦ୍ରରେ ମନ୍ତ୍ରୀ ହେବା ପାଇଁ ସୁଯୋଗ ଦେବା ସହ ତାଙ୍କର ରାଜନୈତିକ କ୍ୟାରିୟର ଗଠନରେ ମୁଖ୍ୟ ଭୂମିକା ନେଇଥିଲା, ସେହି ଦଳ ଭିତରେ ରହି ଅନ୍ତର୍ଘାତୀ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ଶ୍ରୀକାନ୍ତ । ଆଉ ଦଳ ଏହାକୁ ବରଦାସ୍ତ ନକରି ତାଙ୍କୁ ବହିଷ୍କାର କରିଦେଲା । ଆଉ ଏହି ଘଟଣା ଶ୍ରୀକାନ୍ତଙ୍କୁ ବିବ୍ରତ କରି ପକାଇଛି ।

ରାଜ୍ୟ ରାଜନୀତିରେ ସବୁଠୁ ଧୁର୍ତ ରାଜନେତା ଭାବେ ପରିଚିତ ଶ୍ରୀକାନ୍ତଙ୍କ ପାଦ ତଳୁ ମାଟି ଏପରି ଭାବେ ଖସିଯିବ, ତାହାକୁ ସେ ସହଜରେ ଗ୍ରହଣ କରିପାରୁନାହନ୍ତି । ଖଣି ମାଫିଆ, ନବୀନଙ୍କ ସହ ଅଘୋଷିତ ବୁଝାମଣା, ରାହୁଲ ଗାନ୍ଧୀଙ୍କ ଆତ୍ମ ସମର୍ପଣ ଓ ଓଡ଼ିଶାକୁ ପଟ୍ଟନାୟକ ପରିବାର ଲୁଣ୍ଠନ କରୁଥିବା – ଏସବୁ ଅଭିଯୋଗ ଆଣି ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଶ୍ରୀକାନ୍ତ ।

୧୯୯୬ରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଦିଲ୍ଲୀରେ ଅପପ୍ରଚାର କରି ଜଣେ ଓଡ଼ିଆ ନେତାଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ବଂଚିତ କରିବାକୁ ଉଦ୍ୟମ କରୁଥିବା ଭଳି ଅପବାଦ ରହିଛି ଶ୍ରାକାନ୍ତଙ୍କ ମୁଣ୍ଡରେ । ଓଡ଼ିଶା ରାଜନୀତିରେ ଚକ୍ରାନ୍ତ ଜେନା ଭାବେ ପରିଚିତ ଏହି ନେତାଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯିବା ପରେ ସେ ବିଳିବିଳେଇ ଉଠିଛନ୍ତି । ତେବେ ଏହାକୁ ।ନେଇ ନିରଂଜନ କହିଛନ୍ତି, କଂଗ୍ରେସରେ ନଥିବା ବେଳେ ସେ ଦଳ ବିରୋଧରେ ବିଭିନ୍ନ କଥା କହିଛନ୍ତି । ପରବର୍ତ୍ତୀ ସମୟରେ ଜ୍ଞାନ ଉଦୟ ହେବା ପରେ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି । ତେଣୁ ସେ ଦଳରୁ ବିଦା ହେବା ପରେ ଏଭଳି ହେବା ସ୍ୱାଭାବିକ ।ତେଣୁ ତାଙ୍କ ପ୍ରତିକ୍ରିୟାରେ ମୁଁ କାହିଁକି ପ୍ରତିକ୍ରିୟା ଦେବି ବୋଲି କହିଛନ୍ତି ନିରଞ୍ଜନ ।

ସବୁବେଳେ ଜାତି ରାଜନୀତିର ମଂଜି ବୁଣୁଥିବା ଶ୍ରୀକାନ୍ତ, ବହିଷ୍କାର ପରେ ପୁଣିଥରେ ପଟ୍ଟନାୟକ ପରିବାର ଉପରକୁ ଆଙ୍ଗୁଳି ଉଠାଇ ଓଡ଼ିଶା ରାଜନୀତିକୁ ପଟ୍ଟନାୟକ ମୁକ୍ତ କରିବାକୁ କହିଛନ୍ତି । ବିଜେଡି ଓ କଂଗ୍ରେସର ଗୁପ୍ତ ବୁଝାମଣା ଅଭିଯୋଗ ଉପରେ ବିଜେଡି କହିଛି ଶ୍ରୀକାନ୍ତଙ୍କ କଥାରେ ତାଳମେଳ ନାହିଁ । ୨୦୧୪ରେ କଂଗ୍ରେସ ଟିକେଟ୍ ବିକ୍ରି ଅଭିଯୋଗ ମଧ୍ୟ ଆସିଥିଲା ଶ୍ରୀକାନ୍ତଙ୍କ ବିରୋଧରେ । ଏବେ ଦଳରୁ ବିଦା ହେବା ପରେ ୨୦୧୯ ନିର୍ବାଚନରେ ତାଙ୍କ ପାଇଁ ପ୍ରାୟ ସବୁ ଦ୍ୱାର ବନ୍ଦ ହୋଇଯାଇଛି ।