୫୪ ବର୍ଷୀୟ ଅଭିନେତ୍ରୀଙ୍କ ସ୍ୱପ୍ନ ରହିଗଲା ଅଧୁରା, ଝିଅ ଜାହ୍ନବୀଙ୍କୁ ନେଇ ଥିଲେ ଖୁବ ଚିନ୍ତିତ

36

ଅଭିନେତ୍ରୀ ଶ୍ରୀଦେବୀ ଶନିବାର ବିଳମ୍ବିତ ରାତିରେ ଦୁବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ମିଳିବା ପରେ ବଲିଉଡ ଜଗତଠାରୁ ଆରମ୍ଭ କରି ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏମିତି ଅଚାନକ ମୃତ୍ୟୁରେ ଲୋକ ସ୍ତବ୍ଧ ହୋଇଯାଇଛନ୍ତି । ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ନିଜର କୋଟି କୋଟି ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଆରପାରିକୁ ଚାଲି ଯାଇଛନ୍ତି ଶ୍ରୀଦେବୀ । ନିଜର ଦୀର୍ଘ ଦିନର କ୍ୟାରିଅର ମଧ୍ୟରେ ସେ ଅଭିନୟକୁ ନେଇ ଥିବା ପ୍ରତ୍ୟେକ ସ୍ୱପ୍ନକୁ ପୂରା କରିଛନ୍ତି । କେବଳ ବାହାର ଦୁନିଆରେ ନୁହେଁ ବରଂ ନିଜ ପରିବାରଜନଙ୍କ ପାଇଁ ମଧ୍ୟ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରି ପିଲାମାନଙ୍କୁ ମଣିଷ କରିଛନ୍ତି ଓ ନିଜର ନିଖୁଣ ଅଭିନୟ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ନିଜ ଅଭିନୟକୁ ନେଇ ଥିବା ସମସ୍ତ ସ୍ୱପ୍ନକୁ ତ ସେ ପୂରଣ କରି ପାରିଛନ୍ତି,କିନ୍ତୁ ଝିଅ ଜାହ୍ନବୀଙ୍କୁ ନେଇ ଥିବା ସ୍ୱପ୍ନ ତାଙ୍କର ଅଧା ହୋଇ ରହିଯାଇଛି । ପ୍ରତ୍ୟେକ ମାଁ ଚାହାଁନ୍ତି କି ତାଙ୍କ ପୁଅ ଝିଅ ତାଙ୍କ ଜୀବନରେ ସଫଳତା ଲାଭ କରନ୍ତୁ । ସେମିତି ଶ୍ରୀଦେବୀ ମଧ୍ୟ ତାଙ୍କ ଝିଅ ଜାହ୍ନବୀଙ୍କ କ୍ୟାରିଅରକୁ ନେଇ ବହୁତ ଚିନ୍ତିତ ଥିଲେ । ଗତ ବର୍ଷ ସେ ଏହି ବିଷୟରେ ଜଣାଇଥିଲେ ମଧ୍ୟ ।

ଗେହ୍ଲି ଝିଅ ଜାହ୍ନବୀଙ୍କୁ ରୂପେଲି ପରଦାରେ ଦେଖିବାର ସ୍ୱପ୍ନ ତାଙ୍କର ସବୁଦିନ ପାଇଁ ଅଧା ହୋଇ ରହିଯାଇଛି । ଜାହ୍ନବୀ ଫିଲ୍ମ ‘ଧଡ଼କ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏକ ଲମ୍ବା ସମୟ ଧରି ଯେଉଁ ସମୟକୁ ଶ୍ରୀଦେବୀ ଚାହିଁ ରହିଥିଲେ ,ତାହା ସବୁଦିନ ପାଇଁ ଅଧା ହୋଇ ରହିଯାଇଛି । ତାଙ୍କ ଅନୁପସ୍ଥିତିରେ ଏହି ସ୍ୱପ୍ନ ପୂରଣ ହେବ ନିଶ୍ଚୟ । ଜାହ୍ନବୀଙ୍କର ପ୍ରଥମ ବଲିଉଡ ପ୍ରକଳ୍ପ ଫାଇନାଲ କରିବାରେ ଶ୍ରୀଦେବୀଙ୍କର ପ୍ରମୁଖ ଭୂମିକା ରହିଛି । କାରଣ ସେ ତାଙ୍କ ଝିଅଙ୍କ ବଲିଉଡ ଡେବ୍ୟୁକୁ ନେଇ ଖୁବ ଚିନ୍ତାରେ ରହିଥିଲେ । ଶ୍ରୀଦେବୀ ପ୍ରାୟତଃ ଝିଅର ଫିଲ୍ମ ସେଟରେ ନଜର ଆସୁଥିଲେ । ଏହା ପୂର୍ବରୁ ଫିଲ୍ମର ଘୋଷଣାକୁ ନେଇ ବିଳମ୍ବ ହୋଇଥିଲା, ଯାହାପାଇଁ କରଣ ଜୋହର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । କାରଣ ଜାହ୍ନବୀଙ୍କ ପୂର୍ବରୁ ସୈଫଙ୍କ ଝିଅ ସାରା ଖାନଙ୍କ ଡେବ୍ୟୁ କରିବା କଥା ଘୋଷଣା ହୋଇ ସାରିଥିଲା । ତେବେ ଜାହ୍ୱବୀଙ୍କୁ ବଲିଉଡରେ ଲଂଚ କରିବା ପାଇଁ ବହୁ ପ୍ରଚେଷ୍ଟା କରିଥିଲେ ଶ୍ରୀଦେବୀ ।