ଶ୍ରୀଦେବୀଙ୍କ ମୃତଦେହ ଆସିବା ନେଇ ଏବେବି ସସପେନ୍ସ ଜାରି ! ରକ୍ତ ନମୂନାରୁ ମିଳିଲା ଆଲକହଲର ମାତ୍ରା, ସ୍ୱାମୀ ବୋନି କପୁରଙ୍କୁ ପୁଲିସର ପଚରାଉଚରା

36

କନକ ବ୍ୟୁରୋ: ଶ୍ରୀଦେବୀଙ୍କ ମୃତଦେହ କେବେ ଭାରତ ଆସିବ ସେ ନେଇ ସସପେନ୍ସ ବଢିବାରେ ଲାଗିଛି । ଏ ଯାଏଁ ଶ୍ରୀଦେବୀଙ୍କ ମୃତଦେହ ପରିବାକୁ ହସ୍ତାନ୍ତର କରାଯାଇନାହିଁ । ତେଣୁ ଆଜି ସନ୍ଧ୍ୟାସୁଦ୍ଧା ମୃତଦେହ ମୁମ୍ବାଇ ଆସିବ ନା ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଆହୁରି କିଛି ପ୍ରକ୍ରିୟା ବାକି ଥିବା କୁହାଯାଉଛି । ବାଥଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ଦୁବାଇ ପୋଲିସକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ତେଣୁ ପବ୍ଲିକ ପ୍ରୋସିକ୍ୟୁଟରଙ୍କଠାରୁ କ୍ଲିୟରାନ୍ସ ନମିଳିବା ପର୍ଯ୍ୟନ୍ତ ପରିବାରକୁ ମୃତଦେହ ହସ୍ତାନ୍ତର ହୋଇପାରିବ ନାହିଁ ।

ଏପଟେ ମୁମ୍ବାଇ ସ୍ଥିତ ଅଭିନେତା ଅନୀଲ କପୁରଙ୍କ ବାସଭବନରେ ବଲିଉଡ ସେଲିବ୍ରିଟିଙ୍କ ସୁଅ ଛୁଟିଛି । ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଅନୀଲଙ୍କ ବାସଭବନରେ ଥିବା ଜଣାପଡିଛି । ଶ୍ରୀଦେବୀ ୧୮ ତାରିଖରେ ପତି ବୋନି କାପୁର ଓ ଝିଅଙ୍କ ସହ ଦୁବାଇ ଯାଇଥିଲେ । ଶ୍ରୀଦେବୀଙ୍କ ମୃତଦେହ ମୁମ୍ବାଇ ଆସିବା ନେଇ ସସପେନ୍ସ ଜାରି ରହିଥିବାବେଳେ ବୋନି କାପୁରଙ୍କୁ କାଲି ରାତିରେ ପଚରାଉଚରା କରିଛି ଦୁବାଇ ପୋଲିସ । ଆବଶ୍ୟକ ପଡିଲେ ପୁଣି ଥରେ ବୋନିଙ୍କୁ ପଚରା ଉଚରା କରାଯାଇପାରେ ବୋଲି ଜଣାପଡିଛି ।

ଗତକାଲି ତାଙ୍କ ମୃତ୍ୟୁ ନେଇ ବଡ ଖୁଲାସା ହୋଇଥଲା । ୫୪ ବର୍ଷିୟା ଶ୍ରୀଦେବୀଙ୍କ ମୃତ୍ୟୁ ହୃଦଘାତରେ ହୋଇନଥିଲା । ବାଥରୁମରେ ଥିବା ଗାଧୁଆ ଟବରେ ବୁଡିଯାଇ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଚାଂଚଲ୍ୟକର ତଥ୍ୟ ସାମନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ତାଙ୍କ ମୃତ୍ୟୁର କାରଣ ପାଣିରେ ବୁଡି ଯିବା ଯୋଗୁଁ ହୋଇଥିଲା । ଏହାଛଡା ଏହି ଭେଟେରାନ୍ ଅଭିନେତ୍ରୀଙ୍କ ଦେହରେ ଆଲକୋହଲ ଥିବା ନେଇ ରିପୋର୍ଟ ଆସିଛି । ତେଣୁ ହୃଦଘାତ ଯୋଗୁଁ ନୁହେଁ ନିଶା କାରଣରୁ ଶ୍ରୀଦେବୀ ଗାଧୁଆ ଟବରେ ବୁଡିଯାଇ ମୃତ୍ୟୁବରଣ କରିଥିଲେ ବୋଲି ଏବେ ସ୍ପଷ୍ଟ ହୋଇଛି ।