ଚାଲିଗଲେ ଚାନ୍ଦିନୀ ! ବଲିଉଡ ସ୍ତବ୍ଧ, ନିର୍ବାକ ପ୍ରଶଂସକ । ଭାଇରାଲ ହେଲା ମ୍ୟାରେଜ ପାର୍ଟିର ଶ୍ରୀଦେବୀଙ୍କ ଶେଷ ଡ୍ୟାନ୍ସ ଭିଡ଼ିଓ

56

ପରଲୋକରେ ବଲିଉଡ୍ ଚାନ୍ଦିନୀ ଶ୍ରୀଦେବୀ । ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି । ଦୁବାଇରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ ତାଙ୍କ ସହ ସ୍ୱାମୀ ବୋନି କପୁର ଓ ସାନ ଝିଅ ଖୁସୀ ଥିବା ଜଣାପଡିଛି । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡକୁ ସ୍ତବ୍ଧ କରିଦେଇଛି । ଏଭଳି ସମୟରେ ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଶ୍ରୀଦେବୀ ସ୍ୱାମୀ ବୋନି କପୁରଙ୍କ ସହ ଡ୍ୟାନ୍ସ କରୁଥିବାର ନଜରକୁ ଆସିଛନ୍ତି । ମୃତ୍ୟୁପୂର୍ବରୁ ଶ୍ରୀଦେବୀଙ୍କର ଏହା ଶେଷ ଡ୍ୟାନ୍ସ ଥିଲା ।

ସ୍ୱାମୀ ବୋନି କପୁର ଓ ଝିଅଙ୍କ ସାଥିରେ ଶ୍ରୀଦେବୀ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ । ଏହି ବିବାହ ଉତ୍ସବରେ ସ୍ୱାମୀ ବୋନି କପୁରଙ୍କ ସହ ତାଳରେ ତାଳ ମିଶାଇ ନାଚିଥିଲେ ଶ୍ରୀଦେବୀ । ଏହି ଭିଡ଼ିଓରେ ଖୁବ ରିଲାକ୍ସ ମୁଡରେ ନଜର ଆସିଥିଲେ ଶ୍ରୀଦେବୀ । ୨୦ ତାରିଖରେ ବିବାହ ମଣ୍ଡପରେ ନାଚୁଥିବା ଶ୍ରୀଦେବୀଙ୍କର ଏହା ଥିଲା ଶେଷ ଡ୍ୟାନ୍ସ ।

ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇ ସ୍ଥିତ ତାଙ୍କ ଅନେ୍ଧରୀ ବାସଭବନ ବାହାରେ ଲୋକ ଭିଡ ଲଗାଇବା ଆରମ୍ଭ କରିଦେଇଛନ୍ତି । ସେପଟେ ଦୁବାଇରେ ଶ୍ରୀଦେବୀଙ୍କ ମରଶରୀରକୁ ବ୍ୟବଚ୍ଛେଦ କରାଯାଇଛି । ଆଜି ତାଙ୍କ ମୃତଦେହକୁ ମୁମ୍ବାଇ ଅଣାଯିବ ବୋଲି ସୂଚନା ମିଳିଛି । ସନ୍ଧ୍ୟା ସୁଦ୍ଧା ମରଶରୀର ମୁ୍ମ୍ବାଇରେ ପହଂଚିବା ସମ୍ଭାବନା ରହିିଛି । ଶ୍ରୀଦେବୀଙ୍କ ପରଲୋକରେ ପରେ ଭାରତରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଜୀବନ୍ତ ଅଭିନୟକୁ ପ୍ରଶଂସା କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମୋଦି । ଏଥିସହ ଶ୍ରୀଦେବୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ।