ଲାଲ୍ ଶାଢ଼ୀରେ ଦୁନିଆରୁ ବିଦାୟ ନେଲେ ଶ୍ରୀଦେବୀ ! ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ସରିଲା ଲେଡି ସୁପରଷ୍ଟାରଙ୍କ ଅନ୍ତିମ ସଂସ୍କାର

64

କନକ ବ୍ୟୁରୋ :  ଲାଲ ଶାଢୀ, ମଥାରେ ଶୋଭା ପାଉଥିଲା ଲାଲ ବିନ୍ଦି । ବୋହୁ ବୋହୁକା ବେଶ । ଯେମିତି ଚମକୁଥିଲେ ଚଳଚିତ୍ର ପରଦାରେ, ସେମିତି ଲାଲ ଟୁକଟୁକ୍ ବେଶରେ ସଜାଇ ହୋଇଥିଲେ ଶ୍ରୀଦେବୀ । ଏହି ଶେଷ ଫଟୋ ସମସ୍ତଙ୍କ ମନରେ ରହିଯିବ, କେବେ ବି ଭୁଲି ପାରିବେନି ଶ୍ରୀଦେବୀଙ୍କ ଫ୍ୟାନ ଫଲୋୟର । ଚିରନିଦ୍ରାରେ ଶୋଇଥିବା ଶ୍ରୀଦେବୀଙ୍କ ଚମକ ଦେଖିଲେ ଲାଗୁଥିଲା ସତେ ଯେପରି ବେଶ ଶାନ୍ତିରେ ଶୋଇ ରହିଛନ୍ତି ଲକ୍ଷ ଲକ୍ଷ ସିନେପ୍ରେମୀଙ୍କ ଚାନ୍ଦନୀ । ଶରୀରରେ ପ୍ରାଣ ନଥିଲା ସତ, ହେଲେ ଶେଷ ଫଟୋ ଥିଲା ଜୀବନ୍ତ ।

SRIDEVI

ଚାନ୍ଦନୀଙ୍କ ଜୁଦାଇର ସଦମା ସହିପାରୁନଥିଲେ ତାଙ୍କର ଅଗଣିତ ପ୍ରଶଂସକ । ଅନ୍ତିମ ଯାତ୍ରା ପୂର୍ବରୁ ପୂରା ବଲିଉଡ୍ ପହଁଚିଥିଲା ଲେଡି ସୁପରଷ୍ଟାରଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ । ସକାଳ ସାଢେ ୯ଟାରୁ ମୁମ୍ବାଇ ସଲିବ୍ରେସନ ସ୍ପୋଟ୍ସ କ୍ଲବରେ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ରଖାଯାଇଥିଲା । ସେଠାରେ ଦେଖିବାକୁ ମିଳିଥିଲା ସିନେ ଷ୍ଟାର ଓ ପ୍ରଶଂସକଙ୍କ ଭିଡ । ପଦ୍ମଶ୍ରୀ ଶ୍ରୀଦେବୀଙ୍କୁ ଦିଆଯାଇଥିଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ତାଙ୍କର ମରଶରୀରରେ ତ୍ରିରଙ୍ଗା ଘୋଡେଇ ଦିଆଯାଇଥିଲା । ଲାଲ ରଙ୍ଗର ଶାଢୀରେ ସଜାଇ ହୋଇଥିଲେ ସେ । ପ୍ରିୟଜନଙ୍କ ଠାରୁ ମେଲାଣୀ ନେଇ ଅନ୍ତିମ ଯାତ୍ରାରେ ବାହାରିଥିଲେ ଶ୍ରୀଦେବୀ ।

ଧଳା ଫୁଲରେ ସଜାଯାଇଥିବା ଟ୍ରକରେ ଥିଲା କାଚର କାସ୍-କେଟ୍ । ସେଲିବ୍ରେସନ କ୍ଲବରୁ ଭିଲେ ପାର୍ଲେ ସ୍ଥିତ ସେବା ସମାଜ ପର୍ଯ୍ୟନ୍ତ ଥିଲା ଶେଷ ଯାତ୍ରା । ରାସ୍ତାର ଦୁଇ ପାଖରେ ଦେଖିବାକୁ ମିଳିଥିଲା ହଜାର ହଜାର ଲୋକଙ୍କ ଭିଡ଼ । ପ୍ରିୟଜନ ଓ ପ୍ରଶଂସକଙ୍କ ଆଖିରେ ଥିଲା ଲୁହ । ସମସ୍ତେ ଚାହୁଁଥିଲେ ସେମାନଙ୍କ ପ୍ରିୟ ଅଭିନେତ୍ରୀଙ୍କ ଶେଷ ଝଲକ ପାଇଁ । ଶେଷରେ ନିଜ ଅନ୍ତିମ ସ୍ଥଳରେ ପହଁଚିଥିଲେ ଶ୍ରୀଦେବୀ । ପ୍ରଥମ ମହିଳା ସୁପରାଷ୍ଟାରଙ୍କ ଜୁଇ ଜଳିଥିଲା ଭିଲେପାର୍ଲେ ପବନ ହଂସ ଶ୍ମଶାନରେ । ବଲିଉଡର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କୁ ଅନ୍ତିମ ବିଦାୟ ଦେବାକୁ ପହଁଚିଥିଲା ପୁରା ମାୟାନଗରୀ । ଶହ ଶହ ସେଲିବ୍ରିଟି ଏକାଠି ହୋଇଥିଲେ ଶ୍ରୀଦେବୀଙ୍କ ଶେଷଯାତ୍ରାରେ ।