ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ଶେଷ ମଧୁର ମୁହୂର୍ତ୍ତର ଦୃଶ୍ୟ ! ସ୍ୱାମୀ ବୋନି କପୁରଙ୍କ ସହ କରିଥିଲେ ନୃତ୍ୟ

22

ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ସାରା ବଲିଉଡକୁ ସ୍ତବ୍ଧ କରିଛି । ତାଙ୍କ ଦେହାନ୍ତ ପରେ ଏବେ ଶ୍ରୀଦେବୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରୀଦେବୀ ଡାନ୍ସ ଫ୍ଲୋରରେ ଝୁମୁଥିବାର ନଜର ଆସୁଛନ୍ତି । ଖାସ୍ କଥା ହେଉଛି ଏହି ଭିଡିଓରେ ଶ୍ରୀଦେବୀ ଏକାକି ନାହାନ୍ତି ଅନ୍ୟମାନଙ୍କ ଗହଣରେ ପତି ବୋନି କପୁର ବି ନଜର ଆସିଛନ୍ତି । ସେ ମଧ୍ୟ ଶ୍ରୀଦେବୀଙ୍କ ନିକଟକୁ ଆସି ତାଙ୍କର ସହ ତାଳ ମିଳାଇଛନ୍ତି । ଏଥିରେ ଚାନ୍ଦିନୀଙ୍କୁ ତାଙ୍କ କିଛି ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଖୁସିର ମୁହୁର୍ତ କଟାଉଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ଏହି ଭିଡିଓ ପ୍ରଥମେ ଅପଲୋଡ ହେବା ପରେ ଏହା ସୋସିଆଲ ମିିଡିଆରେ ଭାଇରାଲ ହୋଇଛି । ପ୍ରୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ବେଶ୍ ଖୁସି ଥିବା ଏହି ଭିଡିଓ ତାଙ୍କ ପ୍ରଶଂସକଙ୍କ ମନକୁ ଛୁଇଁଛି ।

ସେପଟେ, ଆଜି ଦୁବାଇରୁ ଭାରତ ଆସିବ ଶ୍ରୀଦେବୀଙ୍କ ମରଶରୀର । ଆଇନଗତ ପକ୍ରିୟାରେ ବିଳମ୍ବ ଯୋଗୁଁ ଗତକାଲି ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ହୋଇପାରିନଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ ଶବ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା, ଏସଂପର୍କୀତ ରିପୋର୍ଟ ଆସିନଥିଲା । ତେବେ ଫରେନସିକ ବିଭାଗ ରିପୋର୍ଟ ପ୍ରଦାନ କରିବା ପରେ ମରଶରୀରକୁ ନେଇ କପୁର ପରିବାର ଭାରତ ଅଭିମୁଖେ ଆସିବେ । ଏହାବାଦ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ଶେଷ ହେବାକୁ ବିଳମ୍ବ ହୋଇଥିଲା । ମୃତ୍ୟୁର କାରଣ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶବକୁ ସଂରକ୍ଷିତ କରିବା ପାଇଁ ପ୍ରକ୍ରିୟା ମଧ୍ୟ ସମୟ ସାପେକ୍ଷ ।

ସେହିପରି ମୃତଦେହକୁ ଘରୋଇ ଜେଟ୍ରେ ପଠାଇବା ନେଇ ମଧ୍ୟ ଅନ୍ୟାନ୍ୟ ଆଇନଗତ ଦିଗ ରହିଛି । ଏସବୁ ଶେଷ ହେବା ପରେ ଶ୍ରୀଦେବୀଙ୍କ ମର ଶରୀର ଆଜି ମୁମ୍ବାଇ ଆସିବ ବୋଲି ‘ଖଲିଜ ଟାଇମ୍ସ’ ପ୍ରକାଶ କରିଛି । ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ବିମାନରେ ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇରେ ପହଂଚିବ । ଶ୍ରୀଦେବୀଙ୍କ ମୃତ୍ୟୁ ସ୍ତବ୍ଧ ହୋଇଯାଇଛି ବଲିଉଡ । କେବଳ ଯେ ବଲିଉଡ ତାହା ନୁହେଁ ସାରା ଦେଶ ଶୋକପ୍ରକାଶ କରିଛି । ତାଙ୍କ ଶେଷ ଦର୍ଶନ ପାଇଁ ବାହାରେ ଥିବା ସମସ୍ତ କଳାକାର ମୁମ୍ବାଇରେ ପହଂଚିଛନ୍ତି । ଶ୍ରୀଦେବୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ମଧ୍ୟ ଏଥିପାଇଁ ଭିଡ ଜମିଛି । ବଲିଉଡ କଳାକାରଙ୍କ ସହ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ କଳାକାର ମଧ୍ୟ ଶ୍ରୀଦେବୀଙ୍କ ଶେଷ ଦର୍ଶନ କରିବେ ବୋଲି ଜଣାପଡିଛି । ଆଜି ମୁମ୍ବାଇର ପୱନ ହଂସ ଶ୍ମସାନରେ ଶ୍ରୀଦେବୀଙ୍କ ଅନ୍ତେଷ୍ଟୀକ୍ରୀୟା ସମ୍ପନ୍ନ ହେବ ।