କ୍ରିକେଟ୍ ଜଗତରେ ୨୦୦ ବର୍ଷରେ ଦୁଇଟି ବିରଳ ଘଟଣା ! ଗୋଟିଏ ମ୍ୟାଚରେ ଏହି ଖେଳାଳୀ ମାରିଲେ ଦୁଇଟି ଦ୍ୱିଶତକ ।

687

ଗୋଟିଏ ମ୍ୟାଚରେ ଜଣେ ଖେଳାଳୀ ମାରିଲେ ଦୁଇଟି ଦ୍ୱିଶତକ । ପ୍ରଥମ ଶ୍ରେଣୀ କ୍ରିକେଟରେ ହୋଇଥିବା ଏଭଳି କୀର୍ତ୍ତିମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପାଖାପାଖି ୨୦୦ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଏଭଳି କୀର୍ତ୍ତିମାନ ଏପର୍ଯ୍ୟନ୍ତ ମାତ୍ର ଦୁଇଥର ହୋଇଛି । ୮୧ ବର୍ଷ ପୂର୍ବେ ହୋଇଥିବା ଏହି ଇତିହାସର ୨୦୧୯ ଫେବୃଆରୀ ୩ ତାରିଖରେ କୋଲମ୍ବୋ ଠାରେ ପୁନରାବୃତି ଘଟିଛି ।

ଶ୍ରୀଲଙ୍କାର ଆଞ୍ଜେଲୋ ପେରେରା ନନଡେସକ୍ରିପ୍ଟସ କ୍ରିକେଟ୍ କ୍ଲବ ପକ୍ଷରୁ ଖେଳି ୪ ଦିବସୀୟ ଏକ ମ୍ୟାଚରେ ଦୁଇଟି ଦ୍ୱିଶତକ ହାସଲ କରିଛନ୍ତି । ୨୯ ବର୍ଷୀୟ ପରେରା ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟରେ ସିଂହଲିଜ ସ୍ପୋର୍ଟସ କ୍ଲବ ବିପକ୍ଷରେ ପ୍ରଥମ ପାଳିରେ ୨୦୩ ବଲରୁ ୨୦୧ ରନ ହାସଲ କରିଥିଲେ, ସେହିପରି ଦ୍ୱିତୀୟ ପାଳିରେ ତାଙ୍କ ବ୍ୟାଟରୁ ୨୬୮ଟି ବଲରେ ୨୩୧ ରନ ବାହାରିଥିଲା । ଏହି ଇନିଂସ ସହ ସେ ଇଂଲଣ୍ଡର ଆର୍ଥର ଫେଗଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ୧୯୩୮ ମସିହାରେ କୋଲଚେଷ୍ଟରରେ କେଣ୍ଟ ପକ୍ଷରୁ ଖେଳି ଦୁଇଟି ଇନିଂସରେ ଯଥାକ୍ରମେ ୨୪୪ ଏବଂ ୨୦୨ ରନର ଅପରାଜିତ ପାଳି ଖେଳିଥିଲେ ଆର୍ଥର ।

ଅଲରାଉଣ୍ଡର ବ୍ୟାଟ୍ସମାନ୍ ଆଞ୍ଜେଲୋ ପରେରୀଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଦର୍ଶନ ଫିକା ରହିଥିଲା । ଯେଉଁଥିପାଇଁ ସେ ଦଳରେ ନିୟମିତ ଖେଳାଳୀ ହୋଇପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ୨୦୧୩ ମସିହାରେ ଦିନିକିଆରେ ସେ ପଦାର୍ପଣ କରିଥିଲେ । ତେବେ ଚଳିତବର୍ଷ ସେ ଟି-୨୦ରେ ଡେବ୍ୟୁ କରିବା ସହ ମୋଟ ଦୁଇଟି ମ୍ୟାଚ ଖେଳିଛନ୍ତି । ତେବେ ତାଙ୍କ ପାଖରେ ମୋଟ୍ ୯୭ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାର ଅନୁଭବ ରହିଛି । ଯେଉଁଥିରେ ସେ ୧୮ଟି ଶତକ ହାସଲ କରିବା ସହ ୪୭.୫୪ ରନ ହାରରେ ୬୯୪୧ ରନ କରିଛନ୍ତି । ଆଉ ଏହି ଦୁଇଟି ଦ୍ୱିଶତକ ବଳରେ ପୁଣି ଦଳକୁ ଫେରିବା ପାଇଁ ଚୟନକର୍ତ୍ତାଙ୍କ ଆଗରେ ଅପସନ ସୃଷ୍ଟି କରିଛନ୍ତୁ ଆଞ୍ଜେଲୋ ପରେରା ।