ଭୟଙ୍କର ବିସ୍ଫୋରଣରେ ଥରିଲା କଲମ୍ବୋ। ସିରିଏଲ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି। ଜରୁରୀ ବୈଠକ ଡାକିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଘଟଣାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

858

କନକ ବ୍ୟୁରୋ: ଭୟଙ୍କର ବିସ୍ଫୋରଣରେ ଥରିଲା ଶ୍ରୀଲଙ୍କା ରାଜଧାନୀ କଲମ୍ବୋ । ଇଷ୍ଟର ପର୍ବ ପାଳନ ଅବସରରେ ହୋଇଛି ସିରିଏଲ ବ୍ଲାଷ୍ଟ । ବୋମା ବିସ୍ଫୋରଣରେ ୧୫୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଲଗାତାର ଭାବରେ ବଢ଼ିବାରେ ଲାଗିଛି । ୩ଟି ଚର୍ଚ୍ଚ ସହ ଅନ୍ୟ ୩ ଟି ହୋଟେଲରେ ସମେତ ୬ଟି ସ୍ଥାନରେ ବିସ୍ଫୋରଣ ଘଟାଇଛନ୍ତି ଅଜ୍ଞାତ ବିସ୍ପୋରଣକାରୀ ।

ସୂଚନା ଅନୁଯାୟୀ, ପ୍ରଥମେ କଲମ୍ବୋ କୋଚିକୋଡସ୍ଥିତ ସେଂଟ ଏନ୍ଥୋନୀ ଚର୍ଚ୍ଚ, ବଟ୍ଟିକଲୋକବାର ଏକ ଚର୍ଚ୍ଚ ଓ ନୈଗୋଁବୋର ସେବେଷ୍ଟିୟନ ଚର୍ଚ୍ଚରେ ବିସ୍ଫୋରଣ ହୋଇଛି । ଏହା ସହିତ ସାଙ୍ଗରୀ-ଲା, ସିନାମୋନ ଗ୍ରାଣ୍ଡ ଓ କିଙ୍ଗସବରୀ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଜରୁରୀ କାଳିନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ସେନାକୁ ନିୟୋଜିତ କରାଯାଇଛି ।

ସେପଟେ, ବିସ୍ଫୋରଣ ପରେ ସମସ୍ତ କାର୍ଯ୍ୟ ବାତିଲ କରି ଜରୁରୀ ବୈଠକ ଡାକିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘ । ସେହିପରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା । ଏହା ସହିତ ଯାଂଚରେ ସହଯୋଗ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସିରିସେନା । ତିନି ସେନା ପ୍ରମୁଖ ମଧ୍ୟ ବୈଠକ କରିଛନ୍ତିି । ଶ୍ରୀଲଙ୍କା ପୁଲିସର ସୂଚନା ଅନୁଯାୟୀ ସକାଳ ୮ଟା ୪୫ରେ ଏହି ବିସ୍ଫୋରଣ ଘଟିଛି । ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଥିବା ଅନୁମାନ କରାଯାଉଛି ।ଏହି ଘଟଣାକୁ ନିନ୍ଦା କରିବା ସହ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଶ୍ରୀଲଙ୍କାସ୍ଥିତ ଭାରତୀୟ ଦୂତାବାସ ସହ ଯୋଗଯୋଗରେ ରହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।