ଫିଟିଲା ବ୍ରହ୍ମ ବିଭ୍ରାଟର ଗୁମର: ପଢନ୍ତୁ କାହିଁକି ପ୍ରେମାନନ୍ଦଙ୍କୁ ଦାୟୀ କଲା ପ୍ରଶାସନ? ଅଧ ରାତିରେ କଣ କରିଥିଲେ ଦଇତାପତି ନିଯୋଗ ସମ୍ପାଦକ

୪ ଦଇତାପତିଙ୍କୁ ଧରି ବ୍ରହ୍ମ ଦର୍ଶନ ପାଇଁ ଜିଦ୍ ଧରିଥିଲେ ପ୍ରେମାନନ୍ଦ

748

କନକ ବ୍ୟୁରୋ: ନବକଳେବରରେ ବ୍ରହ୍ମବିଭ୍ରାଟ ପାଇଁ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଦାୟୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରେମାନନ୍ଦଙ୍କୁ ଲେଖିଥିବା ଚିଠିରେ ଏହା ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଏ ନେଇ ୧୫ ଦିନ ମଧ୍ୟରେ ପ୍ରେମାନନ୍ଦ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚିଠିରେ କୁହାଯାଇଛି ଯେ, ପ୍ରେମାନନ୍ଦ ନିଜେ ସମ୍ପାଦକ ଥାଇ ବି କାହିଁକି ଏଭଳି ବିଶୃଙ୍ଖଳା କଲେ । ଠାକୁରଙ୍କ ଘଟ ପରିବର୍ତିନ ଗୋପନୀୟ କାମ । ଏହି କାର୍ଯ୍ୟ କେବଳ ବାଡଗ୍ରାହୀମାନଙ୍କ ଦ୍ୱାରା ସମ୍ପାଦନା କରିବା ପାଇଁ ନିର୍ଦ୍ଦେଶ ରହିଥିଲା ।

ପ୍ରେମାନନ୍ଦଙ୍କୁ ବି ଏ ନେଇ ଅବଗତ କରାଯାଇଥିଲା । ଏହା ସତ୍ୱେ ଘଟ ପରବିର୍ତନର ଗୋପନୀୟତା ଓ ପରମ୍ପରାକୁ ଉପେକ୍ଷା କରାଯାଇଛି । ନିଷ୍ପତି ସମ୍ପର୍କରେ ଜାଣି ବି ପ୍ରେମାନନ୍ଦ ସମ୍ପାଦକ ହିସାବରେ ବାଧା ଦେବା ବଦଳରେ ଅନ୍ୟମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ସୁଯୋଗ ସୃଷ୍ଟି କରିଥିଲେ । ଘଟ ପରିବର୍ତନ ବେଳେ ବ୍ରହ୍ମ ଦର୍ଶନ ପାଇଁ ପ୍ରେମାନନ୍ଦ ଜିଦ ଧରିଥିଲେ ଓ କୌଣସି କାରଣକୁ ଖାତିର ନ କରି ଜବରଦସ୍ତ ବ୍ରହ୍ମ ଦର୍ଶନ କରିଥିଲେ, ଯାହାକି ପରମ୍ପରା ଓ ନିୟମ ବିରୁଦ୍ଧ କାମ । ଘଟ ପରବିର୍ତନ ଏକ ଗୋପନୀୟ ନୀତି ହୋଇଥିବାବେଳେ ଗଣମାଧ୍ୟମ ଆଗରେ ଏହା ପ୍ରକାଶ କରି ସମ୍ପାଦକ ଲୋକଙ୍କୁ ଗଭୀର ଆଘାତ ଦେଇଛନ୍ତି ।

ଚିଠିରୁ ଜଣାପଡିଛି ଯେ, ସମ୍ପାଦକଙ୍କ ସମେତ ୬ ଜଣ ବରିଷ୍ଠ ଦଇତାପତି ବ୍ରହ୍ମଦର୍ଶନ କରିଥିଲେ । ଏମାନେ ହେଲେ ବିଶ୍ୱନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର । ଗତ ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତର ନ ମିଳିଲେ ଶ୍ରୀମନ୍ଦିର ଆଇନ ଅନୁସାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।