ହାଇଦ୍ରାବାଦରେ ଛକା ଚୌକାର ବର୍ଷା ! ବେୟାରଷ୍ଟ୍ରୋ-ୱାର୍ନରଙ୍କ ଦମଦାର ଶତକ, ବାଙ୍ଗାଲୋରକୁ ୨୩୨ ରନର ଟାର୍ଗେଟ ଦେଲା ସନ ରାଇଜର୍ସ । 

123

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଦର୍ଶକଙ୍କୁ ଚୌକା ଓ ଛକା ବର୍ଷା ଦେଖିବାର ସୁଯୋଗ ମିଳିଛି । ସନରାଇଜର୍ସ ହାଇଦ୍ରାବାଦର ଓପନର ଜନି ବେୟାରଷ୍ଟେ (୧୧୪ ରନ୍, ୫୬ ବଲ୍, ୧୨ ଚୌକା ଓ ୭ ଛକା) ଓ ଡାଭିଡ ଓ୍ଵାର୍ଣ୍ଣର (ଅପରାଜିତ ୧୦୦ ରନ୍, ୫୫ ବଲ, ୫ ଚୌକା ଓ ୫ ଛକା) ବଳରେ ୨୩୧ ରନର ଏକ ବଡ ସ୍କୋର କରିଛି ଦଳ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏକାଦଶ ମ୍ୟାଚରେ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍ ବ୍ୟାଟି କରିଥିଲା । ବେୟାରଷ୍ଟୋ ଏବଂ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ୨୩୧ରନ୍ କରିଛି । ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ବେଙ୍ଗାଲୁରୁକୁ ୨୩୨ ରନ୍ ଟାର୍ଗେଟ ମିଳିଛି ।

ହାଇଦ୍ରାବାଦ୍ ୧୬.୨ ଓଭରରେ ସ୍କୋର ୧୮୪ ରନରେ ନିଜର ପ୍ରଥମ ଓ୍ଵିକେଟରେ ବେୟାରଷ୍ଟୋଙ୍କୁ ହରାଇଥିଲା । ୟୁଜବେନ୍ଦ୍ର ଚହଲଙ୍କ ବଲ ଉମେଶ ଯାଦବଙ୍କୁ କ୍ୟାଚ୍ ଦେଇ ବେୟାରଷ୍ଟୋ ପାଭଲିଅନ୍ ଫେରିଥିଲେ । ଏହାପରେ ବିଜୟ ଶଙ୍କର ପଡ଼ିଆକୁ ପ୍ରବେଶ କରି ଛକା ମାରି ଖାତା ଖୋଲିଥିଲେ । ୩ଟି ବଲ ଖେଳି ଶଙ୍କର ୯ ରନ୍ କରିବା ପରେ ରନ୍ ଆଉଟ୍ ହୋଇ ଫେରିଯାଇଥିଲେ । ବେଙ୍ଗାଲୁରୁର ବୋଲର ପୟାସ ବର୍ମାନ ୪ ଓଭର ବୋଲିଂ କରି ସର୍ବାଧିକ ୫୬ ରନ୍ ଦେଇଥିବା ବେଳେ ଉମେଶ ଯାଦବ ୪୭ ରନ୍ ଖର୍ଚ୍ଚ କରିଥିଲେ । ସେହିପରି ୟୁଜବେନ୍ଦ୍ର ଚହଲ ୪୪ ରନ୍ ଦେଇଥିବା ବେଳେ ମହମ୍ମଦ ସିରାଜ ୩୮ ରନ୍ ଦେଇଥିଲେ ।