ଶ୍ରେୟସଙ୍କ ପୋଷ୍ଟମର୍ଟମ ରିପୋର୍ଟ ! ଇଂଟରନାଲ ଇନଜୁରୀ ସହ ହୃତପିଣ୍ଡରେ ଆଘାତ ଥିଲା ମୃତ୍ୟୁର କାରଣ

25

କନକ ବ୍ୟୁରୋ : ବିଶାଖାପାଟଣାରେ ଓଡିଆ ଛାତ୍ର ଶ୍ରେୟସର ରାଗିଂରେ ମୃତ୍ୟୁ ଘଟଣାରେ ବିଶାଖାପାଟଣାରୁ ଆସିଥିବା ଟିମ୍ ଆଜି ମୃତ ଛାତ୍ରଙ୍କ ଗାଁ ଗଡପୋଷ ଯିବେ । ସେଠାକୁ ଟିମ ଯାଇ ପରିବାରଲୋକଙ୍କ ସହ ଆଲୋଚନା କରିବେ । ବିଶାଖାପାଟଣାର ୩ ଜଣିଆ ପୁଲିସ ଟିମ ଓଡିଶାରେ ଶ୍ରେୟସ ମୃତ୍ୟୁ ଘଟଣାର ଛାନଭିନ କରୁଛି । ଗତକାଲି ଶ୍ରେୟସର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଇଂଟରନାଲ ଇଂଜୁରୀ ସହ ହୃତପିଣ୍ଡରେ ଆଘାତ, ଶ୍ରେୟସ ମୃତ୍ୟୁର କାରଣ ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଫୁସଫୁସ ବନ୍ଦ ହେବା ପରେ ହାର୍ଟ କାମ କରିବା ବନ୍ଦ ହୋଇଯାଇଥିଲା । ଏହା ପରେ ଶ୍ରେୟସର ମୃତ୍ୟୁ ହୋଇଥିଲା ।  କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ସ୍ପଷ୍ଟ କରିଛନ୍ତି । ଅଧିକ ତଦନ୍ତ ପାଇଁ ପୋଷ୍ଟମର୍ଟମ ରିପୋର୍ଟ ମାଗିଛି ବିଶାଖାପାଟଣାରୁ ଆସିଥିବା ଟିମ୍ ।

ସୂଚନାଯୋଗ୍ୟ ସମ୍ବଲପୁର ଗୋବିନ୍ଦପୁର ଥାନା ଅଧୀନ ବରପୋଷର ଶ୍ରେୟସ ବିଶାଖାପାଟଣା ମଧୁରଓ୍ଵାଡ଼ା ଅଞ୍ଚଳରେ ଥିବା ଚୈତନ୍ୟ ସ୍କୁଲର ପ୍ରଥମ ବର୍ଷ ଇିଜିନିୟରିଂ ଛାତ୍ର ଥିଲେ । ତାଙ୍କୁ ଶିକ୍ଷାନୁଷ୍ଠାନର ସିନିଅର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ମାଡ଼ରେ ଗୁରୁତର ଆହତ ଶ୍ରେୟସଙ୍କୁ ପ୍ରଥମେ ତାଙ୍କୁ ବିଶାଖାପାଟଣା ଓ ପରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ୫ ଦିନ ତଳେ ଶ୍ରେୟସଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।