କ୍ରିକେଟ ମଇଦାନରୁ ବି-ଟାଉନକୁ ଯାତ୍ରା! ଅକ୍ସର-୨ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି ମାରିବେ କ୍ରିକେଟର ଶ୍ରୀସନ୍ଥ

66

କ୍ରିକେଟ ମଇଦାନରୁ ବି-ଟାଉନକୁ ଲମ୍ପ । ମ୍ୟାଚ ଫିକ୍ସିଂକୁ ନେଇ ଗତ କିଛି ବର୍ଷଧରି ପଡ଼ିଆ ବାହାରେ ବସିଥିବା କ୍ରିକେଟର ଶ୍ରୀସନ୍ଥ ଏବେ ବଲିଉଡ଼ରେ ନିଜର ଜଲୱା ଦେଖାଇବେ । ପୂର୍ବରୁ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିବା ଶ୍ରୀସନ୍ଥଙ୍କ ଏକ ନୂଆ ରୂପ ଦେଖିବାକୁ ଦର୍ଶକ । ଆଗକୁ ରିଲିଜ ହେବାକୁ ଥିବା ଫିଲ୍ମ ଅକ୍ସର-୨ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିବେ ଶ୍ରୀସନ୍ଥ । ଏହି ଫିଲ୍ମର ଟ୍ରେଲର ଆଜି ମୁମ୍ବାଇରେ ରିଲିଜ ହୋଇଛି । ଏହି ଫିଲ୍ମରେ ଜରିନ ଖାନ୍, ଗୌତମ ରୋଡେ ଓ ଅଭିନବ ଶୁକ୍ଲା ଅଭିନୟ କରୁଥିବାର ନଜରକୁ ଆସିବେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଅନନ୍ତ ମହାଦେବନ । ଫିଲ୍ମଟିର ଟ୍ରେଲର ରିଲିଜ ବେଳେ ପୂରା ଟିମ୍ ଉପସ୍ଥିତ ରହିଥିଲେ ।

ଶ୍ରୀସନ୍ଥଙ୍କ ଅଭିନୀତ ଅକ୍ସର-୨ ଅକ୍ଟୋବର ୬ରେ ରିଲିଜ ହେବ । ତେବେ ଶ୍ରୀସନ୍ଥଙ୍କ ଏହା ପ୍ରଥମ ହିନ୍ଦୀ ଫିଲ୍ମ ନୁହେଁ । ପୂର୍ବରୁ ପୂଜା ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ କାର୍ବେଟରେ ଅଭିନୟ କରିଛନ୍ତି ଶ୍ରୀସନ୍ଥ । ତେବେ ଆର୍ଥିକ କାରଣରୁ ଏହି ଫିଲ୍ମଟି ଏପର୍ଯ୍ୟନ୍ତ ରିଲିଜ ହୋଇ ପାରିନାହିଁ । ଶ୍ରୀସନ୍ଥଙ୍କ ପାଇଁ ବଡପରଦାରେ ଆସିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଶ୍ରୀସନ୍ଥ ବିଭିନ୍ନ ମାଲାୟାଲାମ ଫିଲ୍ମରେ ନିଜର ଜଲୱା ଦେଖାଇ ସାରିଛନ୍ତି । ଏପରିକି ଡ୍ୟାନ୍ସ ଭିତ୍ତିକ ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମଧ୍ୟ ପ୍ରତିଯୋଗୀ ଭାବେ ନଜରକୁ ଆସିଛନ୍ତି ।
ଏହି ଫିଲ୍ମରେ କାମ କରି ବେଶ୍ ଖୁସି ଥିବା କହିଛନ୍ତି ଶ୍ରୀସନ୍ଥ । ତେବେ ଅକ୍ଟୋବର ୬ ତାରିଖରେ ତାଙ୍କ ନୂଆ ଫିଲ୍ମ ରିଲିଜ ହେଉଥିବା ବେଳେ ପୁଣି ଥରେ ଫାଷ୍ଟକ୍ଲାସ କ୍ରିକେଟ ମ୍ୟାଚ୍ ମାଧ୍ୟମରେ ମଇଦାନକୁ ଓହ୍ଲାଇବେ ଶ୍ରୀସନ୍ଥ ।