ଶ୍ରୀମନ୍ଦିର ପରିସରରେ ଲାଗିବ ଆଉ ୨୩ ଟି ସିସିଟିଭି ! ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିସିଟିଭି ଲଗାଇବା ପାଇଁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

55

କନକ ବ୍ୟୁରୋ : ଶ୍ରୀମନ୍ଦିରର ଟିକିନିକି ଖବର ଉପରେ ନଜର ରଖିବ ସିସିଟିଭି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସରରେ ଆଉ ୨୩ଟି ସିସିଟିଭି ଲଗାଇବା ପାଇଁ ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଦାନ ଅର୍ଥ ଗ୍ରହଣ କରୁଛନ୍ତି କି ନାହିଁ ତାହାକୁ ସିସିଟିଭି ଦ୍ୱାରା ନଜର ରଖାଯିବ । ସେବାୟତମାନେ ଭକ୍ତଙ୍କଠାରୁ ଦାନ ଅର୍ଥ ଗ୍ରହଣ ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ଲଗାଇବାକୁ ପରାମର୍ଶ ଦେଇଥିଲେ କୋର୍ଟ । ଏନେଇ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରର ଚାରି ଦ୍ୱାରରେ ସୂଚନା ଫଳକ ଲଗାଯାଇଥିଲା ।

ସେବାୟତଙ୍କୁ ଦାନ ଅର୍ଥ ନଦେଇ ହୁଣ୍ଡିରେ ପକାଇବାକୁ କିମ୍ବା ମନ୍ଦିର କାର୍ଯ୍ୟାଳୟରେ ଦାନ ଅର୍ଥ ଦେଇ ରସିଦ୍ ନେବାକୁ ଭକ୍ତଙ୍କୁ ନିବେଦନ କରାଯାଇଥିଲା । ଏହା ସହିତ ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ସରକାରଙ୍କ ନ୍ୟାୟିକ ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଶଙ୍କରଚାର୍ଯ୍ୟଙ୍କ ମଠକୁ ଜମି ଫେରସ୍ତ କରିବା ପ୍ରସଙ୍ଗରେ ଆଲୋଚନା ହୋଇଛି । ଗଜପତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଶଙ୍କରଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ । ତାପରେ ଜମି ଫେରସ୍ତ କରାଯିବ । ସେହିପରି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରାର ନୀତିକାନ୍ତି ଓ ଶୃଙ୍ଖଳିତ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି । ଛତିଶାନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ପରିଚାଳନା କମିଟିକୁ ଅଗଗତ କରିଛି ଶ୍ରୀମନ୍ଦିର ପ୍ରଶାସନ ।