ପୁଣି ଭାଇରାଲ୍ ହେଲା ପୁରୀ ଶ୍ରୀମନ୍ଦିର ଭିତର ଫଟୋ : ବାଇଶି ପାହାଚରେ ପିଣ୍ଡଦାନ କରୁଥିବା ବେଳର ଫଟୋକୁ ଫେସବୁକରେ ପୋଷ୍ଟ କଲେ ସମୁଦ୍ରକୂଳ ଥାନା ଏସଆଇ

146

କନକ ବ୍ୟୁରୋ : ପୁଣି ଶ୍ରୀମନ୍ଦିର ପରିସରରେ ଫଟୋ ଭାଇରାଲ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ଓଡିଶା ପୋଲିସର ସବୁ ସତର୍କତା ସତ୍ୱେ ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଫୋଟୋ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ ଫଟୋ ନ ଉଠାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ତଥାପି ନିୟମ ଉଲଂଘନ ହେଉଛି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହା ଚିନ୍ତାର ବିଷୟ ପାଲଟିଛି । ତେବେ ଫଟୋ ଭାଇରାଲ କରିଥିବା ବ୍ୟକ୍ତି ଜଣକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । ହେଲେ ଏବେ କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଦାୟିତ୍ୱାବାନ୍ ପୋଲିସ ବାବୁ । ପୋଲିସ ବାବୁ ଜଣକ ନିଜ କର୍ତ୍ତବ୍ୟ କଥା ନଭାବି ମନ୍ଦିରରେ ସେଲ୍ଫି ଉଠାଇଛନ୍ତି । ଫଟୋ ଭାଇରାଲ କରିଥିବା ବ୍ୟକ୍ତି ଜଣକ ହେଲେ ଜଣେ ଦାୟିତ୍ୱବାନ ପୋଲିସ ଅଫିସର । ଶ୍ରୀମନ୍ଦିର ପରିସରରେ ଫଟୋ ଫଟୋ ଭାଇରାଲ କରିଛନ୍ତି ଖୋଦ୍ ସମୁଦ୍ରକୂଳ ଥାନା ସବଇନସ୍ପେକ୍ଟର ଦିଲ୍ଲୀପ ପଣ୍ଡା । ପୋଲିସ ବାବୁଙ୍କ ଏହି କାମକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ସେ ବାଇଶି ପାହାଚରେ ଶ୍ରାଦ୍ଧ ଦେବା ସମୟର ଫଟୋ ଭାଇରାଲ କରିଛନ୍ତି । ନିଜ ଫେସବୁକ ଆକାଂଉଟରେ ଫଟୋ ପୋଷ୍ଟ କରିଛନ୍ତି ପୋଲିସ ବାବୁ । ଆଜି ମହାଳୟା ଅମାବାସ୍ୟାରେ ବାଇଶି ପାହାଚରେ ପିଣ୍ଡ ଦିଆଯିବାବେଳେ ଏହି ଫଟୋ ଉଠାଯାଇଥିଲା । ତେବେ ଶ୍ରୀମନ୍ଦିର ପରସରରେ ନିଷୋଧାଜ୍ଞା ଓ କଡା ସୁରକ୍ଷା ସତ୍ୱେ୍ୱ କିଭଳି ପୋଲିସ ବାବୁ ଫଟୋ ଉଠାଇଲେ ଓ ତାଙ୍କୁ ଏଥିପାଇଁ କିଏ ଅନୁମତି ଦେଲା ସେ ନେଇ ବଡ ପ୍ରଶ୍ନ ଉଠିଛି ।

ପୁରୀ ହଂସାକାଣ୍ଡ ଘଟଣାର ସମାଧାନ ନହେଣୁ ପୁଣି ଏପରି ଏକ ଘଟଣା ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେବା ସତ୍ୱେ ପୁଣି ଥରେ ଏପରି ଘଟଣା ବେଶ୍ ନିନ୍ଦନୀୟ। ସୂଚନାଥାଉ କି, ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସାମ୍ନାକୁ ଆସିଛି।