ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା; ରାଜ୍ୟର ୪ଟି ଜିଲ୍ଲା ପ୍ରତି ରହିଛି ଅଧିକ ବିପଦ; ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହ ୮୦ରୁ ୯୦ କିମି ବେଗରେ ବହିପାରେ ପବନ: ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

5,715

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା । ଆଜି ସଂଧ୍ୟାରେ ଅବପାତର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ । ଆସନ୍ତାକାଲି ନେବ ବାତ୍ୟାର ରୂପ । ବର୍ତ୍ତମାନ ପ୍ରାଥମିକ ଭାବେ ଉତର ପଶ୍ଚିମ ଦିଗ ଦେଇ ଗତି କରିବ ଏହି ସାମୁଦ୍ରିକ ଝଡ । ଏବେ ପରେ ଦିଗ ବଦଳାଇ ଉତର-ଉତରପୂର୍ବ ବଙ୍ଗୋପସାଗର ଦେଇ ଗତି କରିବ । ତେବେ ଏହି ସାମୁଦ୍ରିକ ଝଡ କେଉଁଠି ଲ୍ୟାଣ୍ଡ ଫଲ କରିବ ଏବଂ ତାର ଗତିପଥ କଣ ରହିବ ସେନେଇ ସ୍ପଷ୍ଟ ଜଣାପଡିନଥିଲେ ବି ଓଡିଶାରେ ଏହାର ନିଶ୍ଚୟ ପ୍ରଭାବ ପଡିବ । ଅର୍ଥାତ୍ ଉତର ବଙ୍ଗୋପସାଗର ଦେଇ ଯେହେତୁ ଗତି କରିବ ତେବେ ଉତର ଉପକୂଳ ଓଡିଶା ବାତ୍ୟା ପ୍ରଭାବରେ ନିଶ୍ଚିତ ଆସିବାର ସମ୍ଭାବନା ରହିଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଗତ ୨ ଦିନ ହେଲା ପ୍ରାକ୍ ପ୍ରସ୍ତୁତି ଜାରି ରହିଛି । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଶ୍ରୟ ସ୍ଥଳ ପାଇଁ ଦୁଇ ଜଣ ଶିକ୍ଷକ ନିୟୋଜିତ ହେବେ ଏବଂ ଆବଶ୍ୟକ ପଡିଲେ ସ୍ଥାନ୍ତାନ୍ତରିତ କରାଯିବ । ସେହିଭଳି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆଇର ଟିମକୁ ପ୍ରସ୍ତୁତ ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଆଜିଠାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏବଂ ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନଙ୍କୁ ୧୭ ତାରିଖ ସଂଧ୍ୟା ସୁଦ୍ଧା ସମସ୍ତେ ଉପକୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ଯେହେତୁ ପବନ ବେଗ ଜଣାପଡିନି ମାତ୍ର ପ୍ରାରମ୍ଭିକ ଆକଳନରୁ ଯାହା ଜଣା ପଡିଛି ଯେ, ୧୮ ତାରିଖରେ ବର୍ଷା ସମ୍ଭାବନା ରହିଛି । ଗଂଜାମ, ଗଜପତି, କେନ୍ଦ୍ରାପଡା ପୁରୀ ବର୍ଷା ସହ ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ତେଣୁ ଏହାକୁ ଆଖିରେ ରହି ଏହି ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୧୯ ତାରିଖରେ କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଂଜ, ଜଗତସିଂହପୁର, ଯାଜପୁର ଏବଂ ଭଦ୍ରକରେ ମଧ୍ୟମ ଧରଣର ବର୍ଷା ଏବଂ କା ଭା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏବଂ ପବନର ବେଗ ୮୫ରୁ ୯୦ କିଲୋମିଟର ରହିପାରେ । ତେଣୁ ଏଥିପାଇଁ ଚାଷୀମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ପଂଚାୟତ ରାଜ ବିଭାଗକୁ ପିଇବା ପାଣି ପାଇଁ ବିକଳ୍ପ ବ୍ୟବସ୍ଥା କୁହାଯାଇପାରେ । ସମୁଦ୍ର କୂଳରୁ ୩ କିଲୋମିଟର ଭିତରେ ଥିବା ଲୋକମାନଙ୍କ ପରୀକ୍ଷା କରାଯିବ ।

ଆଇଏମଡିର କଥା ଅନୁସାରେ, ଗଜପତି ଜିଲ୍ଲାଠାରୁ ଆରମ୍ଭ କରି ବାଲେଶ୍ୱର ଏବଂ ମୟୂର ଭିଜ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ଉତର ଓଡିଶାର ୪ଟି ଜିଲ୍ଲା ତଥା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବାତ୍ୟାର ବେଶି ପ୍ରଭାବ ପଡିପାରେ । ତେବେ ଉତର ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ।