ଛାତ ଭୁଷୁଡିବାର କାରଣ ଖୋଜିବ ପ୍ରଶାସନ । ସ୍ୱତନ୍ତ୍ର ରିଲିଫ କମିଶନର କହିଲେ, ତଦନ୍ତ ପରେ ଜଣାପଡ଼ିବ କେଉଁ ପରିସ୍ଥିତିରେ ଘଟିଲା ଏତେ ବଡ ଅଘଟଣ

ସେପଟେ ଦୁର୍ଘଟଣା ପାଇଁ ଶ୍ରମିକଙ୍କ ଉପରେ ଦୋଷ ଲଦିଲେ ଠିକାଦାର

270

କନକ ବ୍ୟୁରୋ: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଛାତ ଭୁଷୁଡିବା ଖବର ପାଇବା ପରେ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା , ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ । ଏନଡିଆରଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ ଟିମର ମିଳିତ ଉଦ୍ୟମରେ ପ୍ରାୟ ୩ ଘଂଟା ଧରି ଚାଲିଥିଲା ଉଦ୍ଧାରକାମ । ପ୍ରଥମେ ଭଂଗା ଛାତ ତଳେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ । ତେବେ ଦ୍ୱିତୀୟ ବ୍ୟକ୍ତି ଯେ କି ପୁରା ଭଂଗା ଛାତ ତଳେ ରହିଯାଇଥିଲେ ତାଙ୍କୁ ଉଦ୍ଧାର କରିବାରେ ନାକେଦମ୍ ହୋଇଥିଲେ ଉଦ୍ଧାରକାରୀ ଦଳ ।

ଶେଷରେ ନିଖୋଜ ବ୍ୟକ୍ତିଙ୍କୁ ରାତି ପ୍ରାୟ ୨ ଟା ସମୟରେ ସନ୍ଧାନୀ କୁକୁର ଠାବ କରିବା ପରେ ଭଂଗା ଛାତ ତଳୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଏକ ଅନ୍ତର୍ଜାତୀକ ବିମାନ ବନ୍ଦରରେ ଏପରି ଦୁର୍ଘଟଣା ପରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ବିମାନବନ୍ଦରର ନବୀକରଣ କାମ ଚାଲୁଥିବା ବେଳେ ଏହାର ଛାତ ଖସିବା ନିମ୍ନମାନର କାମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନି ତ । ରାତି ଅଧରେ ଶ୍ରମିକଙ୍କୁ ଲଗାଇ କାମ କରାଯାଉଥିଲା କିପରି । ଏହି ଘଟଣା ପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ତାକୁ ଅପେକ୍ଷା ରହିଛି ।

ସେପଟେ, ଦୁର୍ଘଟଣା ସମ୍ପର୍କରେ ଠିକା ସଂସ୍ଥାର ମାଲିକ ଦିଲ୍ଲୀପ ଖଟେଇ କ୍ୟାମେରା ଆଗରେ ଦେଖାଇଥିଲେ ମୁହଁ ଫୁଟାଣି । ଦିଲ୍ଲୀପ ଖଟେଇ ଯାହା ବୟାନ ରଖିଛନ୍ତି , ଦୁର୍ଘଟଣା ପରେ ସେ କେତେ ସଂବେଦନଶୀଳ ତାହା ସ୍ପଷ୍ଟ ହୋଇଯାଇଥିଲା । ଗଣମାଧ୍ୟମ ପ୍ରଶ୍ନର ଜବାବ ଦେବାକୁ ଯାଇ ଦିଲ୍ଲୀପ କନଷ୍ଟ୍ରକସନ୍ ମାଲିକ ସମସ୍ତ ଦୋଷ ଶ୍ରମିକଙ୍କ ଉପରେ ଲଦି ଦେଇଥିଲେ  ଆଉ କହିଥିଲେ ଭୁଲ ନିଶ୍ଚିତ ହୋଇଛି । ନହେଲେ ଦୁର୍ଘଟଣା ହୋଇନଥାନ୍ତା । ସବୁ ଦୋଷ ଶ୍ରମିକ କରିଛନ୍ତି । କାରଣ କାମ ଶ୍ରମିକ କରୁଥିଲେ ।