‘ଫୋନି’ ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ନେଇ ଏସଆରସି ଦେଲେ ରିପୋର୍ଟ । କହିଲେ, ୪ଟି ସ୍ଥାନରେ ହୋଇଛି ଶତ ପ୍ରତିଶତ ଜଳ ଯୋଗାଣ ।

97

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ପ୍ରଭାବିତ ୪ ଟି ସ୍ଥାନରେ ଜଳ ଯୋଗାଣ କାର୍ଯ୍ୟ ଶତ ପ୍ରତିଶତ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । କହିଛନ୍ତି କି, ବାତ୍ୟାରେ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାରେ ଜଳ ଯୋଗାଣ ନେଇ ୨୪ଟି ହେଭି-ଡ୍ୟୁଟି ଡି.ଜି ସେଟ୍ , ୫୪ଟି ପାଣି ଟ୍ୟାଙ୍କର ଏବଂ ୫୪ଟି ପି.ଭି.ସି ଟ୍ୟାଙ୍କ ଜରିଆରେ ପ୍ରଭାବିତ ଲୋକଙ୍କୁ ଜଳ ଯୋଗାଣ ହୋଇଛି । ବାତ୍ୟାର ୭୬ ଘଣ୍ଟା ମଧ୍ୟରେ ଏଭଳି ଏହି ସବୁ ଉପାୟରେ ପ୍ରଭାବିତଙ୍କୁ ଜଳ ଯୋଗାଣ କରାଯାଉଥିଲା ।

ସେହିପରି କୋଣାର୍କ ଟାଉନ ଅଞ୍ଚଳରେ ୯୯ ଏମଏଲଡି ଜଳ ଆବଶ୍ୟକତା ହେଉଥିବାବେଳେ ରାଜ୍ୟ ସରକାର ୨ଟି ହେଭି ଡ୍ୟୁଟି ଡିଜି ସେଟ୍ , ୭ଟି ପାଣି ଟ୍ୟାଙ୍କର ଏବଂ ୧୫ଟି ପିଭିସି ଟ୍ୟାଙ୍କ ଜରିଆରେ ଲୋକମାନଙ୍କୁ ଜଳ ଯୋଗାଣ ହୋଇଛି । ସେହିଭଳି ନିମାପଡ଼ା ଟାଉନ ଅଞ୍ଚଳରେ ୧.୯୯ ଏମଏଲଡ଼ି ପାଣି ଆବଶ୍ୟକତା ପଡୁଥିବାବେଳେ ରାଜ୍ୟ ସରକାର ୩ଟି ହେଭି ଡ୍ୟୁଟି ଡିଜି ସେଟ୍, ୭ଟି ପାଣି ଟ୍ୟାଙ୍କର ଏବଂ ୫ଟି ପିଭିସି ଟ୍ୟାଙ୍କ ଜରିଆରେ ପ୍ରଭାବିତଙ୍କ ପାଖରେ ପାଣି ଯୋଗାଇ ଦିଆଯାଇଛି ।

ପାଣି ପାଇଁ ଡହଳ ବିକଳ ହେଉଥିବା ଭୁବନେଶ୍ୱର ସହରାଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ ହୋଇଛି । କାରଣ ଏଠାରେ ୨୨୫ ଏମଏଲଡି ଜଳ ଆବଶ୍ୟକ ହେଉଥିବା ବେଳେ ୨୩୦ ଏମଏଲଡ଼ି ଜଳ ସହରାଞ୍ଚଳର ବସ୍ତି ଗୁଡିକରେ ଯୋଗାଇ ଦିଆଯାଇଛି । ଯେଉଁଥିରେ ୧୦୮ଟି ହେଭି ଡ୍ୟୁଟି ଡିଜି ସେଟ୍, ୧୪୫ଟି ପାଣି ଟ୍ୟାଙ୍କର ଏବଂ ୬୦୦ଟି ପିଭିସି ମାଧ୍ୟବରେ ଏହି ସବୁ ଉପାୟରେ ପ୍ରଭାବିତଙ୍କୁ ଜଳ ଯୋଗାଣ କରାଯାଉଥିଲା । ଯାହାର ସ୍ଥିତି ଏବେ ସ୍ୱାଭାବିକ ହୋଇଥିବା ରାଜ୍ୟ ସରକାର କହିଛନ୍ତି ।