ଯୁକ୍ତ ଦୁଇ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ! ସ୍କ୍ବାଡଙ୍କୁ ମଧ୍ୟ ମୋବାଇଲ ମନା

110

କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍‌ ଓ ପରୀକ୍ଷା ବାତିଲ୍‌ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି । ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଛି । ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ କୌଣସି ବି ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ମୋବାଇଲ୍‌ ବ୍ୟବହାର କରିପାରିବେ ନାହିଁ । ଏପରିକି କପି ଯାଞ୍ଚ ତଥା ପରୀକ୍ଷାର ସୁପରିଚାଳନାର ତଦାରଖ ପାଇଁ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ସ୍କ୍ବାଡ୍‌ ସଦସ୍ୟ ଓ ଅବଜରଭରମାନେ ମୋବାଇଲ୍‌ ‌ସମେତ କୌଣସି ବି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିପାରିବେନି ।

ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ‌ଯେ ଦରକାର ପଡ଼ିଲେ, ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ତେଣ୍ଟ ଏକ ରୁମ୍‌ ଚିହ୍ନଟ କରିବେ, ଯେଉଁଠାରେ କେବଳ କେନ୍ଦ୍ରର କର୍ମଚାରୀମାନେ ମୋବାଇଲ୍‌ ରଖିପାରିବେ । ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍‌ ପାଖରେ ରଖିବେ ନାହିଁ । ଯଦି ପରୀକ୍ଷା ‌କେନ୍ଦ୍ରର କୌଣସି କର୍ମଚାରୀ/ପରୀକ୍ଷାର୍ଥୀ ‌ମୋବାଇଲ୍‌ ବ୍ୟବହାର କରୁଥିବାର ନଜରକୁ ଆସେ, ସ୍କ୍ବାଡ୍‌ ସଦସ୍ୟମାନେ ପରିଷଦର ଦୃଷ୍ଟିକୁ ଆଣିବାକୁ ନିର୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କୁ ଭଲ ଭାବେ ଯାଞ୍ଚ କରାଯିବ । କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ । ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ । ‘ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ନିଷେଧ’, ‘ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ବାରଣ’, ‘ସତର୍କତା: ପରୀକ୍ଷାର୍ଥୀ କପି, ବହି, ଖାତା ଆଦି ସାଙ୍ଗରେ ନେଇପାରିବେ ନାହିଁ’ ପରି ବାର୍ତ୍ତା କେନ୍ଦ୍ରର ମୁଖ୍ୟ ପ୍ରବେଶ ପଥରେ ଲଗାଇବାକୁ କୁହାଯାଇଛି । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍‌ରେ ବସିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।

ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ପରୀକ୍ଷାର୍ଥୀଙ୍କ ଅଭିଭାବକ ଏକାଠି ନ ହୁଅନ୍ତି, ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି । ଦରକାର ପଡ଼ିଲେ, ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ । ଯଦି ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ, ସୁପରିନ୍‌ଟେଣ୍ଡେଣ୍ଟମାନେ ପରିଷଦ କତୃର୍ପକ୍ଷଙ୍କୁ ଅବଗତ କରାଇବେ ।

Comments are closed.