ରାଷ୍ଟ୍ରପତି ନିର୍ବାଚନ ନେଇ ସପା ଦୁଇ ଭାଗ । ଶିବପାଲ କୋବିନ୍ଦଙ୍କ ସପକ୍ଷରେ ମୀରାଙ୍କୁ ଅଖିଳେଶଙ୍କ ସମର୍ଥନ

24

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ପୁଣି ଦୁଇ ଭାଗ ହୋଇଯାଇଛି । ଦଳ ସୁପ୍ରିମୋ ଅଖିଳେଶ ଯାଦବ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିବା ବେଳେ ଦାଦା ଶିବପାଲ ଯାଦବଙ୍କ ଗୋଷ୍ଠୀ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବ ବୋଲି ଜଣାପଡ଼ିଛି । ଏ ବାବଦରେ ଶିବପାଲ ତାଙ୍କ ଅନୁଗତ ବିଧାୟକଙ୍କ ସହ ଆଲୋଚନା କରିବା ପରେ କୋବିନ୍ଦଙ୍କୁ ସମର୍ଥନ କରାଯିବ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ।

ଏହା ପୂର୍ବରୁ ଦଳ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ମଧ୍ୟ କୋବିନ୍ଦଙ୍କ ସପକ୍ଷରେ ତାଙ୍କର ସମର୍ଥନ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ନେଇ ଦାଦା-ପୁତୁରା ଲଢ଼େଇ ପୁଣି ସାମ୍ନାକୁ ଆସିଥିବା ବେଳେ ବିଧାୟକଙ୍କ ଅଡ଼ୁଆ ବଢ଼ିଛି । କଂଗ୍ରେସ ପ୍ରାର୍ଥୀ ମୀରା କୁମାର ଆମକୁ ସମର୍ଥନ ମାଗିନାହାନ୍ତି କି ଆମେ ସମର୍ଥନ ଦେବୁନାହିଁ ବୋଲି ବାରଣାସୀରେ ଶିବପାଲଙ୍କ ଘୋଷଣା ଅଖିଳେଶଙ୍କୁ ଅଡ଼ୁଆରେ ପକାଇଛି ।

ମୀରା କୁମାର ଗତକାଲି ଲକ୍ଷ୍ନୌରେ ଅଖିଳେଶ ଯାଦବଙ୍କୁ ଭେଟି ସମାଜବାଦୀ ପାର୍ଟିର ସମର୍ଥନ ଲୋଡ଼ିଥିଲେ ଏବଂ ଅଖିଳେଶ ତୁରନ୍ତ ତାଙ୍କର ସମର୍ଥନ ଘୋଷଣା କରିଥିଲେ । ସମାଜବାଦୀ ପାର୍ଟି ଏବେ ଦୁଇ ଫାଳ ହୋଇ ରହିଥିବାରୁ କ୍ରସ ଭୋଟିଂକୁ କିଭଳି ରୋକିହେବ ସେ ନେଇ ଅଖିଳେଶ ପ୍ରୟାସ ଜାରି ରଖିଛନ୍ତି । ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଅଖିଳେଶ ଗୋଷ୍ଠୀର ଅନେକ ବିଧାୟକ ଶିବପାଲଙ୍କ କ୍ୟାମ୍ପକୁ ଢଳିଛନ୍ତି ।