ଚେନ୍ନାଇ ସମୁଦ୍ର ଉପକୂଳରେ ଆତଙ୍କ : ୩୨ କିଲୋମିଟର ଯାଏଁ ବ୍ୟାପିଲାଣି ତେଲ

24

କନକ ବ୍ୟୁରୋ : ଚେନ୍ନାଇ ସମୁଦ୍ରରେ ବ୍ୟାପିବାରେ ଲାଗିଛି ତେଲ । ଏପର୍ଯ୍ୟନ୍ତ ପାଖାପାଖି ୩୨କିଲୋମିଟର ଅଂଚଳରେ ତେଲ ମାଡିଯାଇଛି । ଏହାସହ ଚେନ୍ନାଇ ଇଷ୍ଟକୋଷ୍ଟ ରୋଡରେ ଥିବା ପଲଭକ୍କମ ବିଚ୍ ପର୍ଯ୍ୟନ୍ତ ମଧ୍ୟ ଏହି ତେଲ ଭାସିଯିବ ବୋଲି ଆଶଙ୍କା କରାଯାଉଛି । ଏହାସହ ସୋମବାର ପର୍ଯ୍ୟନ୍ତ ସମୁଦ୍ରରେ ଦକ୍ଷସି ଦିଗରେ ଗତି କରି ଏହି ତେଲ ଉଥଣ୍ଡି ଯାଏ ପହଂଚିବ ବୋଲି ଆଶଙ୍କା କରାଯାଉଛି । ଭାସୁଥିବା ତେଲକୁ ସଫା କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । କୋଷ୍ଟଗାର୍ଡ ସହ ଇଞ୍ଜିନିୟରିଂ ଛାତ୍ର ଓ ସ୍ଥାନୀୟ ମତ୍ସଜୀବୀମାନେ ଏଥିପାଇଁ ଆଗେଇ ଆସିଛନ୍ତି ।

ସମୁଦ୍ର ଜଳରୁ ତେଲକୁ ଅଲଗା କରିବା ପାଇଁ ପ୍ରାୟ ୧୧ଶହ ଲୋକଙ୍କୁ ନିୟୋଜିତ କରାଯାଇଛି । ତେବେ ରାମୃକଷ୍ଣ ନଗର ସମୁଦ୍ରତଟରୁ ଏପର୍ଯ୍ୟନ୍ତ ୭୦ଟନ୍ ତେଲ ନିଷ୍କାସନ କରିଛି ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀର କମାଣ୍ଡର ପ୍ରଦୀପ ମଣ୍ଡଳଙ୍କ ନେତୃତ୍ୱରେ ତେଲ ସଫା କାମ ଚାଲିଛି । ତେବେ ଶୁକ୍ରବାର ସଂଧ୍ୟା ସୁଦ୍ଧା ରାମକ୍ରିଷ୍ଣ ସମୁଦ୍ର ତଟରୁ ୧୫ରୁ ୨୦ଟନ୍ ତେଲ ସଫା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ତେଲ ବ୍ୟାପିଥିବା ଅଂଚଳରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ନିଷ୍କାସନ କାମ ଜାରି ରହିବ ।

ଜାନୁୟାରୀ ୨୮ତାରିଖରେ ଏନୋର ବନ୍ଦରରେ ୨ଟି ମାଲବାହୀ ଜାହାଜ ମଧ୍ୟରେ ଟକ୍କର ହେବା ଯୋଗୁଁ ଏଥିରେ ଥିବା ତେଲ ସମୁଦ୍ରରେ ପଡିଥିଲା । ୨୮ତାରିଖରେ ଏହି ଘଟଣା ହେବା ପରେ ୨୯ତାରିଖ ପର୍ଯ୍ୟନ୍ତ ମରିନା ଓ ବସନ୍ତ ନଗର ସମୁଦ୍ରତଟ ଯାଏଁ ତେଲ ଭାସିଆସିଛି । ପରିବେଶବିତମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସମୁଦ୍ରରେ ପାଖାପାଖି ୫୦୦ ପ୍ରଜାତିର ମାଛ ଓ ସାମୁଦ୍ରିକ ଜୀବ ରହୁଥିବାରୁ ଏମାନଙ୍କ ଉପରେ ଏହାର ପ୍ରଭାବ ପଡିପାରେ ।