ରାସ୍ତାର ରୋମାଞ୍ଚରୁ ଶ୍ମଶାନଘାଟ! ଦ୍ରୁତଗତିରେ ବାଇକ୍ ଚଳାଇବା ହେଲା କାଳ, କ୍ୟାମେରାରେ କଏଦ୍ ହେଲା ମୃତ୍ୟୁର ଲାଇଭ୍ ଭିଡ଼ିଓ

90

କନକ ବ୍ୟୁରୋ : ବାଇକ ରେସିଂ ପଛରେ ପୂରା ପାଗଳପ୍ରାୟ ଆଜିର ଯୁବଗୋଷ୍ଠୀ । କିନ୍ତୁ ବାଇକ ରେସିଂର କରୁଣ ପରିଣତି ବିଷୟରେ କେବେ ଭାବିଛନ୍ତି । ଜନବହୁଳ ରାସ୍ତାରେ ୧୫୦ କିଲୋମିଟର ବେଗରେ ଗାଡି ଚଳାଇବା ଅର୍ଥାତ ମୃତ୍ୟୁକୁ ଆମନ୍ତ୍ରଣ କରିବା । ଠିକ୍ ଏଭଳି ଏକ ଘଟଣା ଘଟିଛି ଦିଲ୍ଲୀର ମଣ୍ଡି ହାଉସ୍ ଅଞ୍ଚଳରେ । କ୍ଷଣିକ ରୋମାଞ୍ଚ ପାଇଁ ଚାଲିଯାଇଛି ବହୁମୂଲ୍ୟ ଜୀବନ । ମୃତ୍ୟୁର ଲାଇଭ୍ ଦୃଶ୍ୟ କ୍ୟାମେରାରେ ହୋଇଛି କଏଦ୍ ।

ଦିଲ୍ଲୀର ମଣ୍ଡି ହାଉସ ଅଞ୍ଚଳ । ରାସ୍ତା ଉପରେ ୧୫୦ କିଲୋମିଟର ବେଗରେ ଛୁଟୁଥାଏ ବାଇକ୍ । ରାସ୍ତା ଯେତିକି ଲମ୍ବା ହେଉଥାଏ ବାଇକର ସ୍ପିଡ଼ ମଧ୍ୟ ସେତିକି ବଢୁଥାଏ । ଆଗରେ ୨୪ ବର୍ଷିୟ ହିଂମାଶୁ ବଂସଲ ବେନେଲି ଟିଏନଟି ସ୍ପୋର୍ଟସ ବାଇକ୍ ଧରି କ୍ଷିପ୍ର ଗତିରେ ଯାଉଥିବା ବେଳେ ପଛରେ ଏହି ଦୃଶ୍ୟକୁ ସୁଟିଂ କରୁଥିଲେ ତାଙ୍କର ଦୁଇ ସାଙ୍ଗ ।

ଫିଲ୍ମ ଷ୍ଟାଇଲରେ ମାଡି ଚାଲିଥିଲା ୩ଟି ବାଇକ୍ । ହେଲେ ଲେଡି ଆରୱିନ୍ କଲେଜ ପଛରେ ହିମାଂଶୁଙ୍କ ବାଇକ୍ ପହଞ୍ଚିବା ପରେ ସବୁକିଛି ବଦଳି ଯାଇଥିଲା । ମୃତ୍ୟୁର କାଳଫାଶରେ ବାନ୍ଧି ହୋଇଯାଇଥିଲେ ହିମାଂଶୁ । କିଛି ବୁଝିବା ପୂର୍ବରୁ ହଠାତ୍ ରାସ୍ତାମଝିକୁ ଚାଲି ଆସିଲେ ଜଣେ ବୟସ୍କ ବ୍ୟକ୍ତି । ଆଉ ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇଲେ ହିମାଂଶୁ । ବାଇକର ବେଗ ଏତେ କ୍ଷିପ୍ର ଥିଲା ଯେ, କିଛି ଭାବିବା ପୂର୍ବରୁ କଲେଜ କାନ୍ଥରେ ମାଡ ହୋଇଥିଲା ଆଉ ଚାହୁଁଚାହୁଁ ଉଡିଯାଇଥିଲା ହିମାଂଶୁଙ୍କ ପ୍ରାଣବାୟୁ ।

୨୪ ବର୍ଷିୟ ଯବାନ ପୁଅକୁ ହରାଇ ପୂରା ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଛି । ଦୁଃଖର ପାହାଡ଼ ସତେ ଯେପରି ଛିଡି ପଡ଼ିଛି ହିମାଂଶୁଙ୍କ ପରିବାର ଉପରେ । କିନ୍ତୁ ହିମାଂଶୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବଡ଼ ଭାଇ ଅଂକୁଶ ବଂସଲ । ସେ କହିଛନ୍ତି ‘ହିମାଂଶୁଙ୍କ ମୃତ୍ୟୁ ଦୁର୍ଘଟଣା ପାଇଁ ନୁହେଁ ବରଂ ପଥଚାରୀଙ୍କ ଭୁଲ୍ ଯୋଗୁଁ ହୋଇଛି’ । କିନ୍ତୁ ପୁଲିସ୍ ସୂଚନା ଅନୁସାରେ ଘଂଟା ପ୍ରତି ୧୫୦ କିଲୋମିଟର ବେଗରେ ବାଇକ ଚଳାଉଥିଲେ ହିମାଂଶୁ । ତେଣୁ ବାଇକ ଉପରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେ ।

ବାଇକ୍ ରେସିଂକୁ ଯେଉଁମାନେ ରୋମାଂଚ ବୋଲି ଗ୍ରହଣ କରୁଛନ୍ତି ହୁଏତ ହିମାଂଶୁୁଙ୍କ ମୃତ୍ୟୁ ସେମାନଙ୍କୁ କିଛି ଶିକ୍ଷା ଦେବ ।