ରାଜ୍ୟସଭାରେ ପାରିତ ହେଲା ଏସପିଜି ସଂଶୋଧନ ବିଲ-୨୦୧୯ । ଶାହା କହିଲେ, ଗାନ୍ଧି ପରିବାରକୁ ଟାର୍ଗେଟ କରି ନିଆଯାଇନାହିଁ ଏଭଳି ନିଷ୍ପତ୍ତି ।

331

ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ଏସପିଜି ସଂଶୋଧନ ବିଲ୍-୨୦୧୯ । ଏହାପୂର୍ବରୁ ୨୭ ନଭେମ୍ବରରେ ଏହି ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଥିଲା । ତେବେ ଏହି ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ କଂଗ୍ରେସ ସଦସ୍ୟ ଗୃହତ୍ୟାଗ କରିଥିଲେ । ଗୃହମନ୍ତ୍ରୀଙ୍କ ଉତ୍ତର କଂଗ୍ରେସକୁ ସନ୍ତୁଷ୍ଟ କରି ପାରିନାହିଁ ବୋଲି ଦଳ ପକ୍ଷରୁ କୁହାଯାଇ କକ୍ଷତ୍ୟାଗ କରାଯାଇଥିଲା ।

ଏହି ଅବସରରେ ବିତର୍କରେ ଭାଗ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗାନ୍ଧି ପରିବାରକୁ ଟାର୍ଗେଟକରି ଏହି ସଂଶୋଧନ କରାଯାଇନାହିଁ । ଏସପିଜି ଆଇନରେ ପୂର୍ବରୁ ୪ଟି ସଂଶୋଧନ କରାଯାଇଥିବାବେଳେ ଏହା ହେଉଛି ୫ମ ସଂଶୋଧନ । ପୂର୍ବ ସଂଶୋଧନଗୁଡ଼ିକ କେବଳ ଗୋଟିଏ ପରିବାରକୁ ସୁହାଇବା ଲାଗି କରାଯାଇଥିଲା ବୋଲି ସେ କହିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହିତ ସରକାରୀ ବାସଭବନରେ ରହୁଥିବା ପରିବାରବର୍ଗଙ୍କ ପାଇଁ ଗଠନ କରାଯାଇଥିଲା । ‘ସ୍ପେଶାଲ’ ଅର୍ଥ କେବଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ବୁଝାଉଛି ବୋଲି ସେ କହିଛନ୍ତି । କଂଗ୍ରେସ କାହିଁକି କେବଳ ଏସପିଜି ସୁରକ୍ଷା ପାଇଁ ଦାବି କରୁଛି ? ସୁରକ୍ଷାକୁ ଷ୍ଟାଟସ ସିମ୍ବଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଏହାଛଡା ଅମିତ ଶାହା କହିଛନ୍ତି ଗାନ୍ଧୀ ପରିବାର ଠାରୁ ସୁରକ୍ଷା କାଢି ନିଆଯାଇ ନାହିଁ କେବଳ ଏଥିରେ ପରିବର୍ତ୍ତନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ, ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କୁ ଯେଉଁ ସୁରକ୍ଷା ମିଳୁଛି ଗାନ୍ଧୀ ପରିବାରକୁ ମଧ୍ୟ ସେହି ସୁରକ୍ଷା ମିଳୁଛି । କେବଳ ଗାନ୍ଧୀ ପରିବାରର ସୁରକ୍ଷା ନୁହେଁ ୧୩୦ କୋଟି ଭାରତୀୟଙ୍କ ସୁରକ୍ଷା ମୋଦି ସରକାରଙ୍କର ଦାୟିତ୍ୱ ।

କେନ୍ଦ୍ର ସରକାର ଗତ ମାସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ହଟାଇ ଜେଡ ପ୍ଲସ ସୁରକ୍ଷା ଦେଇଥିଲେ ।