ବ୍ୟାଙ୍କ ଖାତା ସହ ମୋବାଇଲ୍ ନମ୍ବର ଲିଙ୍କ ରଖିଛନ୍ତି କି? ସାବଧାନ, ଗାଏବ ହୋଇଯାଇପାରେ ଆପଣ ଜମା କରିଥିବା ଟଙ୍କା

1,851

ଯଦି ଆପଣ ବ୍ୟାଙ୍କ ଖାତା ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ବହୁ ଦିନ ଧରି ବନ୍ଦ କରି ରଖୁଛନ୍ତି ତେବେ ହ୍ୟାକରମାନେ ଏହା ଜରିଆରେ ଆପଣଙ୍କର ଜମା ଟଙ୍କାକୁ ଚଳୁ କରିନେଇପାରନ୍ତି । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଲୋକଙ୍କ ଅଜାଣତରେ ହିଁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଉଛି । ବଡ କଥା ହେଲା ହ୍ୟାକରଙ୍କ ଏହି ନୂଆ ଟେକନିକର ଟେର ପାଉନି ପୁଲିସ । ଏଥିପାଇଁ ଯଦି ଦରକାର ସେ ହେଉଛି ଲୋକଙ୍କର ସଚେତନା ।

ସୂଚନା ମୁତାବକ, ସେଲ୍ୟୁଲାର କଂପାନୀ ମାନେ ମାସିକିଆ ରିଚାର୍ଜ ପ୍ଲାନକୁ କଡାକଡି ଭାବେ ଲାଗୁ କରିଦେଇଛନ୍ତି । ଯାହା ଦ୍ୱାରା ୟୁଜର ବ୍ୟବହାର କରୁଥିବା ସିମ କାର୍ଡକୁ ଜାରି ରଖିବା ପାଇଁ ହେଲେ ପ୍ରତିମାସ ଏକ ନିର୍ଧାରିତ ରାଶି ରିଚାର୍ଜ କରିବାକୁ ହେବ । ସେହିପରି ଯଦି କୌଣସି ବ୍ୟକ୍ତି ନିର୍ଧାରିତ ସମୟରେ ଏହି ପ୍ଲାନ ରିଚାର୍ଜ ନକରନ୍ତି ତେବେ ଉକ୍ତ ସିମକୁ ଅସ୍ଥାୟୀ ଭାବେ ଅଚଳ କରିଦିଆଯାଉଛି । ଏଥିସହିତ ହିଁ ସେଲ୍ୟୁଲାର କଂପାନୀମାନେ ନୂଆ ନମ୍ବର ଜାଗାରେ ପୁରୁଣା ମୋବାଇଲ ନମ୍ବରକୁ ନୂଆ ସିମରେ ଆଲର୍ଟ କରିବାର ସୁବିଧା ମଧ୍ୟ ଗ୍ରାହକଙ୍କ ପାଇଁ ଆରମ୍ଭ କରିଦେଇଛନ୍ତି । ଯାହାର ଅର୍ଥ ହେଲା କୌଣସି ବି ବ୍ୟକ୍ତିଙ୍କର ପୁରୁଣା ନମ୍ବର ଦୀର୍ଘଦିନ ଧରି ବନ୍ଦ ହୋଇ ପଡିଥିଲେ ଉକ୍ତ ନମ୍ବରକୁ କଂପାନୀମାନେ ଅନ୍ୟ ବ୍ୟକ୍ତିଙ୍କୁ ଆଲର୍ଟ କରିଦେଉଛନ୍ତି ।

ଉଭୟ ପୁରୁଣା ଏବଂ ଅସ୍ଥାୟୀ ରୂପରେ ବନ୍ଦ ପଡିଥିବା ମୋବାଇଲ ନମ୍ବରକୁ ଠକମାନେ ହାତେଇ ଲୋକଙ୍କ ଖାତାରୁ ଟଙ୍କା ଗାଏବ କରିନେଉଛନ୍ତି । ଏଥିପାଇଁ ଯେଉଁ ମୋବାଇଲ ନମ୍ବରକୁ ଆପଣ ଆପଣଙ୍କର ବ୍ୟାଙ୍କ ଖାତା ସହ ଲିଙ୍କ କରିଛନ୍ତି ଅର୍ଥାତ୍ ଆର୍ଥିକ ନେଣଦେଣରେ ବ୍ୟବହାର କରୁଛନ୍ତି ତାକୁ ସବୁବେଳେ ସକ୍ରିୟ ରଖନ୍ତୁ । ଏହାଦ୍ୱାରା ଆପଣଙ୍କର ଟଙ୍କା ସୁରକ୍ଷିତ ରହିବ ।