ସରକାର ଆଣୁଛନ୍ତି ନୂଆ ନିୟମ: ଧାର୍ଯ୍ୟ ଦରମାଠୁ କମ ଦରମା ଦେଲେ କଂପାନୀ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ଛୁଟିରେ ମହିଳାଙ୍କୁ କାମ କରାଇପାରିବେନି ମାଲିକ

ସମାନ ସର୍ବନିମ୍ନ ବେତନକୁ ମିଳିବ କ୍ୟାବିନେଟର ମଂଜୁରୀ

1,753

ଶ୍ରମିକଙ୍କ ପାଇଁ ଖୁସି ଖବର ଆଣୁଛନ୍ତି କେନ୍ଦ୍ର ସରକାର । ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଖୁବ୍ ଶୀଘ୍ର ବେତନ ସଂହିତା ପ୍ରସ୍ତାବକୁ ମଂଜୁରୀ ପାଇଁ କ୍ୟାବିନେଟ୍ ସାମ୍ନାରେ ରଖିପାରେ । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କ୍ୟାବିନେଟ ମଂଜୁରୀ ମିଳିବା ପରେ ଏହି ବିଲଟିକୁ ଚାଲୁ ଅଧିବେଶନରେ ଉପସ୍ଥାପନା କରାଯାଇପାରେ । ଆଉ ଯଦି ଏହି ବିଲଟି ପାରିତ ହୋଇଯାଏ ତେବେ ନିଶ୍ଚୟ ସାଧାରଣ ଲୋକେ ଏହାଦ୍ୱାରା ଲାଭବାନ ହେବେ । ତେବେ ଗତ ମାସ ଷୋଢଶତମ ଲୋକସଭା ଭଙ୍ଗ ହେବା କାରଣରୁ ଏହି ବିଲଟିକୁ ମଂଜୁରୀ ମିଳିପାରିନଥିଲା । ଏବେ ମନ୍ତ୍ରାଳୟ ଏହି ପ୍ରସ୍ତବାକୁ ସଂସଦରେ ପୁନର୍ବାର ଉପସ୍ଥାପନା କରିବା ପୂର୍ବରୁ କ୍ୟାବିନେଟର ମଂଜୁରୀ ଦେବାକୁ ଚାହୁଁଛି ।

କେଉଁ ଲୋକଙ୍କୁ ମିଳିବ ସମାନ ଦରମା

ଏହି ବିଲଟି ପାରିତ ହେବା ପରେ କେନ୍ଦ୍ର ସରକାର କିଛି ବିଶେଷ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ସମାନ ଦରମା ଦେବାର ଅଧିକାର ପ୍ରଦାନ କରିପାରନ୍ତି । ଯେଉଁଥିରେ ଉଭୟ ରେଳ ମନ୍ତ୍ରାଳୟ ଏବଂ ଖଣି ମନ୍ତ୍ରାଳୟ ମଧ୍ୟ ସାମିଲ ରହିଛି । ଅନ୍ୟ ବର୍ଗର କର୍ମଚାରୀଙ୍କ ପାଇଁ ଦରମା ଧାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ । ଏହି ବିଲ ଜରିଆରେ ଏକ ରାଷ୍ଟ୍ରୀୟ ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରାଯିବ । ଏହାଛଡା କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ର ଏବଂ ରାଜ୍ୟଗୁଡିକ ପାଇଁ ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିବେ । ଏହି ବିଲରେ ପ୍ରସ୍ତାବ ରହିଛି କି, ପ୍ରତି ୫ ବର୍ଷ ପରେ ଏହି ସର୍ବନିମ୍ନ ଦରମାରେ ପରିବର୍ତ୍ତନ ଅଣାଯିବ ।

ଏହି ବିଲରେ ସର୍ବନିମ୍ନ ମଜୁରୀରୁ କମ ବେତନ ଉପରେ ନିଯୁକ୍ତିକର୍ତ୍ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯିବାର ନିୟମ ରହିବ । ଯଦି କୌଣସି ନିଯୁକ୍ତିକର୍ତ୍ତା ଧାର୍ଯ୍ୟ ପାରିଶ୍ରମିକ ଠାରୁ କମ ଦରମା ଦିଅନ୍ତି ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିବ । ଯଦି ସେ ପାଂଚ ବର୍ଷ ମଧ୍ୟରେ ଏଭଳି ଭୁଲ ଦୋହରାନ୍ତି ତେବେ ତାଙ୍କୁ ୩ ମାସ କାଳ ଜେଲଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କାର ଜରିମାନା ରାଶି ମଧ୍ୟ ଭରିବାକୁ ହେବ ।

ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଦିଆଯାଇଛି ଗୁରୁତ୍ୱ

ସେହିଭଳି ଏହି ବିଲରେ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ବେଶି ଗୁରୁତ୍ୱ ଦିଆଯାଇଛି । ବିଲ୍ ଅନୁସାରେ ମହିଳାଙ୍କ ପାଇଁ କାମ କରିବାର ସମୟ ସକାଳ ୬ରୁ ସଂଧ୍ୟା ୭ଟା ପର୍ଯର୍୍ୟନ୍ତ ରହିବ । ଯଦି ସଂଧ୍ୟା ୭ଟା ପରେ କୌଣସି ବି ମହିଳା କର୍ମଚାରୀ କାମ କରୁଥିବାର ନଜର ଆସନ୍ତି ତେବେ ତାଙ୍କର ସୁରକ୍ଷା ଦାୟିତ୍ୱ ନିଯୁକ୍ତିକର୍ତ୍ତାଙ୍କୁ ହିଁ ବହନ କରିବାକୁ ପଡିବ । ଏହା ବ୍ୟତୀତ ଛୁଟି ଦିନରେ ମହିଳାଙ୍କୁ କାମ ପାଇଁ ଡାକି ପାରିବେ ନାହିଁ । ତେବେ ଅତି ଜରୁରୀ କାମରେ ମହିଳାଙ୍କୁ ତାଙ୍କ ଛୁଟି ଦିନରେ ଡାକିପାରିବେ ନିଯୁକ୍ତି କର୍ତ୍ତା । ମାତ୍ର ତାଙ୍କର ସୁରକ୍ଷା ପ୍ରତି ମଧ୍ୟ ନିଯୁକ୍ତିକର୍ତ୍ତାଙ୍କୁ ଚିନ୍ତା କରିବାକୁ ହେବ ।