ହ୍ୱିଲଚେୟାରରେ ମାଟ୍ରିକ ପରୀକ୍ଷା ! ଅନେକଙ୍କ ପାଇଁ ଦିବ୍ୟାଙ୍ଗ ସାଜିଲେ ଉଦାହରଣ

36

କନକ ବ୍ୟୁରୋ : ଏବେ ରାଜ୍ୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁରସତ ନାହିଁ । ଆଉ ପିଲା ଭଲ ପାଠ ପଢ଼ିବେ ଏବଂ ଭଲ ନମ୍ବର ରଖିବେ, ଏଥିପାଇଁ ଅଭିଭାବକମାନେ ଦିନରାତି ଏକ୍ କରିଦେଉଛନ୍ତି । ହେଲେ ଆଜି ଆମେ ଏମିତି ଜଣେ ପରୀକ୍ଷାର୍ଥୀଙ୍କୁ ବିଷୟରେ ଜଣାଇବୁ ଯିଏ ସମସ୍ତ ଅସୁବିଧା ସତ୍ୱେ ହାରି ନାହାଁନ୍ତି । ଚାଲିବାକୁ ସକ୍ଷମ ନୁହଁନ୍ତି, ଶୁଣିବି ପାରୁନାହାଁନ୍ତି । ହେଲେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ହୁଇଲ ଚେୟାର ଆସି ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ।

ହ୍ୱିଲ୍ ଚେୟାରରେ ବସି ପରୀକ୍ଷା କେନ୍ଦ୍ରକୁ ଆସିଥିବା ଛାତ୍ର ଜଣକ ହେଉଛନ୍ତି ଦୁର୍ଗାଶଙ୍କର ଦାସ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ଦୁର୍ଗାଶଙ୍କର । ପିଲାଟି ଦିନରୁ ଭିନ୍ନକ୍ଷମ । ନା ଚାଲିବୁଲି ପାରନ୍ତି ନା’ ଶୁଣିପାରନ୍ତି । ସେଇଥିପାଇଁ ପରୀକ୍ଷା ଦେବାରେ ତାଙ୍କୁ ସହଯୋଗ କରୁଛନ୍ତି ଜଣେ ଶିକ୍ଷୟତ୍ରୀ ।

ଭୁବନେଶ୍ୱର ଜିଜିପି କଲୋନୀରେ ରୁହନ୍ତି ଦୁର୍ଗାଶଙ୍କରଙ୍କ ପରିବାର । କୁନି ପିଲାଟିଏ ଥିବା ବେଳେ ବାପା-ମା ଜାଣିଲେ ଦୁର୍ଗା ଚାଲାବୁଲା କରିବାକୁ ଅକ୍ଷମ । ଆଉ ଟିକିଏ ବଡ ହେଲା ପରେ ଜାଣାପଡ଼ିଲା ସେ ଶୁଣିବି ପାରୁ ନାହାଁନ୍ତି । ହେଲେ ନା’ ହାର ମାନିଥିଲେ ପରିବାର ଲୋକ ନା’ ଦୁର୍ଗାଶଙ୍କର ।

ଶାରୀରିକ ଅକ୍ଷମତା କିନ୍ତୁ ଦୁର୍ଗାଶଙ୍କରଙ୍କୁ ବାନ୍ଧିପାରିନଥିଲା । ନିଜ ଭବିଷ୍ୟତ ଗଢ଼ିବା ପାଇଁ ପାଠ୍ୟ ପୁସ୍ତକକୁ ସାଥି ଭାବେ ବାଛି ନେଇଥିଲେ । ଆଉ ଏହି କ୍ରମରେ ଆଜି ମାଟ୍ରିକ୍ ଯାଏଁ ପହଂଚିସାରିଛନ୍ତି ।

ଦୁର୍ଗାଶଙ୍କର ଏହି ସଫଳତା ପଛରେ ଲୁଚି ରହିଛି ସ୍ୱାଭିମାନ ନାମକ ସ୍ୱଛାସେବୀ ସଂଗଠନର ହାତ । ଦୁର୍ଗାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦେବା ସହ ଭିନ୍ନ ଢ଼ଙ୍ଗରେ ପାଠ ପଢାଇବା ପାଇଁ ସୁଯୋଗ ଆଣି ଦେଇଥିଲା । ଏବେ ନିଜ ବାଟର ବାଟୋଇ ସାଜି ଆଗେଇ ଚାଲିଛନ୍ତି ଦୁର୍ଗାଶଙ୍କର ।