ମୃତ୍ୟୁର ୪୫୦ ବର୍ଷ ପରେ ବି ମରି ନାହିଁ ରକ୍ତ !

80

ପଂଚଭୂତରେ ଗଢା ମଣିଷ ଜୀବନ ଆଉ ମୃତ୍ୟୁ ପରେ ମଧ୍ୟ ଏହି ଶରୀର ସେହି ପଂଚଭୂତରେ ଲୀନ ହୋଇଯାଏ । କୁହାଯାଏ, ମଣିଷର ମୃତ୍ୟୁ ପରେ ତାର ଶରୀର ପାଲଟିଯାଇଥାଏ କାଠ ସଦୃଶ୍ୟ । ଅର୍ଥାତ୍ ଗୋଟେ ମଣିଷ ମରିଗଲା ପରେ ତା ଦେହର ସବୁ ଅଙ୍ଗ ମଧ୍ୟ ମରିଯାଇଥାଏ ଓ ଶରୀରଟି ସଂପୂର୍ଣ୍ଣ ରୂପେ ଥଣ୍ଡା ହୋଇ ଯାଇ ରକ୍ତ ସବୁ ଶୁଖି ଯାଇଯାଏ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ଏଭଳି ଏକ ବିସ୍ମୟ ମୃତଦେହଟିଏ ଅଛି ଯାହା ଏବେବି ରହିଛି ସତେଜ । ଆଉ ଯାହା ମଧ୍ୟରୁ ଏବେବି ନିର୍ଗତ ହେଉଛି ରକ୍ତ ।

ଗୋଆର ପଣଜୀ ନିକଟସ୍ଥ ‘ବେସିଲିକା ଅଫ୍ ବମ୍ ଜିସସ୍‘ଚର୍ଚ୍ଚରେ ରହିଛି ପାଖାପାଖି ୪୫୦ ବର୍ଷ ପୁରୁଣାର ଜଣେ ସନ୍ଥ ସେଂଟ୍ ଫ୍ରାନ୍ସିସ୍ ଜାଭିୟରଙ୍କ ମରଶରୀର । କୁହାଯାଏ, ଏହି ମୃତଦେହଟିରେ ଏଭଳି ଏକ ଦୈବିକ ଶକ୍ତି ରହିଛି ଯେଉଁଥିପାଇଁ ମୃତ୍ୟୁର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଶରୀରଟି ସତେଜ ରହିଛି ।

ସେଂଟ୍ ଫ୍ରାନ୍ସିସ୍ ଜାଭିୟର ସନ୍ଥ ହେବା ପୂର୍ବରୁ ଜଣେ ସିପାହୀ ଥିଲେ । ସେ ଇଗ୍ନାଟିୟସ ନାମକ ଏକ ଧାର୍ମିକ ସଙ୍ଗଠନର ମୁଖ୍ୟ ଥିଲେ । ତେବେ କୁହାଯାଏ ସେ ତାଙ୍କର ମୃତ୍ୟୁ କଥା ପୂର୍ବରୁ ହିଁ ଜାଣିପାରିଥିଲେ ଓ ସେଥିପାଇଁ ସେ ନିଜର ଶରୀରକୁ ଗୋଆରେ ସମାଧି ଦେବାପାଇଁ ତାଙ୍କ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସମାଧି ଦେବାର କିଛି ବର୍ଷପରେ ରୋମର କିଛି ଧର୍ମଯାଜକମାନେ ତାଙ୍କ ଶବକୁ ଖୋଳି ବାହାର କରି ଫ୍ରାନ୍ସିସ୍ ଜାଭିୟର ଚର୍ଚ୍ଚରେ ପୁନର୍ବାର ପୋତି ଦେଇଥିଲେ । ସବୁଠାରୁ ବଡକଥା ହେଲା ଯେ,ତାଙ୍କ ଶରୀରକୁ ତିନିତିନି ଥର ଖୋଳା ଯାଇ ପୋତା ଯାଇଥିଲା ଆଉ ସେତେବେଳେ ମଧ୍ୟ ତାଙ୍କ ମୃତ ଶରୀରଟି ଥିଲା ସତେଜ । ଖାଲି ସେତିକି ନୁହେଁ ତାଙ୍କ ସେହି ମୃତଦେହରେ କଂଟା ଫୁଟାଇବା କ୍ଷଣି ସେଥିମଧ୍ୟରୁ ନିର୍ଗତ ହୋଇଥିଲା ରକ୍ତ ।

ଆଜି ମଧ୍ୟ ବେସିଲିକା ଅଫ୍ ବମ୍ ଜିସସ୍ ଚର୍ଚ୍ଚରେ ସେଂଟ୍ ଜାଭିୟରଙ୍କ ମରଶରୀରକୁ ଏକ କାଚଘର ମଧ୍ୟରେ ରଖାଯାଇଛି । ପ୍ରତି ୧୦ ବର୍ଷରେ ଥରେ ତାଙ୍କର ସେହି ମରଶରୀରକୁ ବାହାରକୁ ବାହାର କରାଯାଇଥାଏ । ତେବେ ଶେଷ ଥର ପାଇଁ ୨୦୧୪ ମସିହାରେ ତାଙ୍କର ଶରୀରକୁ ବାହାର କରାଯାଇଥିଲା ।