ଜଣେ ଭାରତୀୟଙ୍କ ପାଇଁ ଲଢିଲେ । ଦୁଇ ବର୍ଷ କାଳ ନିଖୋଜ ରହିଲେ । ପଢନ୍ତୁ ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସଂଘର୍ଷମୟ କାହାଣୀ

72

ନିଖୋଜ ପାକିସ୍ଥାନୀ ମହିଳା ସାମ୍ବାଦିକା ଜିନାତ ଶାହାଜାଦି ଉଦ୍ଧାର ହୋଇଛନ୍ତିି । ତାଙ୍କୁ ଆଫଗାନିସ୍ତାନ ସୀମା ନିକଟ ପାକିସ୍ଥାନର ପାହାଡିଆ ଅଂଚଳରୁ ଉଦ୍ଧାର କରାଯାଇଛି । ପାକିସ୍ତାନରେ ବନ୍ଦୀ ଥିବା ଜଣେ ଭାରତୀୟ ଇଂଜିନିୟରଙ୍କ ମୁକ୍ତିରେ ସହଯୋଗ କରୁଥିବା ଜିନାତଙ୍କୁ ଅଫିସ ଯିବା ବେଳେ ଅଟୋରୁ ଅପହରଣ କରାଯାଇଥିଲା । ଜିନାତ ଏକ ଫ୍ରିଲାନ୍ସର ଭାବେ ସାମ୍ବାଦିକତା କରୁଥିଲେ । ଭାରତୀୟ କଏଦୀଙ୍କୁ ପାକିସ୍ତାନରେ ନିର୍ଯ୍ୟାତନା ବାବଦରେ ରିପୋର୍ଟିଂ କରି ଚର୍ଚ୍ଚାକୁ ଆସିଥିବା ଜିନାତ ଆତଙ୍କବାଦୀ କୋପ ଦୃଷ୍ଟିରେ ପଡିଥିଲେ । ପରେ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିବା ଖବର ଆସିଥିଲା । ତେବେ ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଜଣାଇବୁ ଏହି ପାକିସ୍ତାନୀ ସାମ୍ବାଦିକାଙ୍କ ସଘଂର୍ଷମୟ କାହାଣୀ ।

ଜିନାତ ଏକ ଘରୋଇ ଚ୍ୟାନେଲ ପାଇଁ ଫ୍ରିଲାନ୍ସର ଏବଂ ସେ ନିଜକୁ ମାନବ ଅଧିକାର କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ କହୁଥିଲେ । ସେ ନିଜ ପରିବାରରେ ଏକମାତ୍ର ସାହା ଭରଷା ଥିଲେ । ଜିନତ ଏକ ଏଭଳି ଭାରତୀୟ ନାଗରିକଙ୍କ ସହାୟତା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ ଯାହାକୁ ସେ କେବେ ଦେଖି ନଥିଲେ । ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇରେ ରହୁଥିବା ହାମିଦ ଅନସାରୀ । ହାମିଦଙ୍କୁ ୨୦୧୨ରେ ବେଆଇନ ଭାବେ ଆଫଗାନୀସ୍ତାନ ରାସ୍ତା ଦେଇ ପାକିସ୍ତାନ ସୀମାରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ଅନଲାଇନ ଜରିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ ହାମିଦ । ଏଥିପାଇଁ ହାମିଦ ନଭେମ୍ବର ୫, ୨୦୧୨ରେ କାବୁଲ ଅଭିମୁଖେ ଯାତ୍ରା କରିଥିଲେ । ଏବଂ ଘର ଲୋକଙ୍କୁ କହିଥିଲେ କି ସେ ଚାକିରୀ ପାଇଁ ଏକ ଇଂଟରଭିୟୁ ଦେବାକୁ ଯାଉଛନ୍ତି ବୋଲି । ଏମବିଏ ଡିଗ୍ରୀ ହାସଲ କରିଥିବା ହାମିଦଙ୍କ ବୟସ ଥିଲା ୨୭ ବର୍ଷ । ହାମିଦଙ୍କ ବାପା ନେହାଲ ଅନସାରୀ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ଏବଂ ମାଆ ଫୌଜିୟା ଜଣେ ଶିକ୍ଷୟତ୍ରୀ । ହାମିଦ ନିଖୋଜ ହେବାର ୫ ଦିନ ପରେ ତାଙ୍କ ଘର ଲୋକେ ଜାଣିବାକୁ ପାଇଥିଲେ କି ହାମିଦ ଜଣେ ପାକିସ୍ତାନି ଝିଅକୁ ଭେଟିବା ପାଇଁ ପାକିସ୍ତାନ ଯାଇଛନ୍ତି ଆଉ ସେଠାରେ ତାଙ୍କୁ ବନ୍ଦୀ କରିଦିଆଯାଇଛି । ଏହାପରେ ହାମିଦଙ୍କ ସହଯୋଗ ପାଇଁ ଆଗେଇ ଆସିଥିଲେ ଜିନାତ ଶାହାଜାଦି । ଜିନାତ ସୋସିଆଲ ମିଡିଆ ଜରିଆରେ ହାମିଦଙ୍କ ମାଆଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ତରଫରୁ ହାମିଦ ନିଖୋଜ ହେବା ନେଇ ଏକ ଅଭିଯୋଗ ପତ୍ର କୋର୍ଟରେ ଦାଖଲ କରିଥିଲେ ।

ଏଥିସହିତ ଜିନାତ ପେଶୱାର କୋର୍ଟରେ ବନ୍ଦୀ ପ୍ରତ୍ୟେକ୍ଷୀକରଣର ଯାଚିକା ମଧ୍ୟ ଦାଖଲ କରିଥିଲେ । ହାମିଦ ମାମଲାରେ ଜିନାତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଲା, ତାଙ୍କର ଏହି ଚେଷ୍ଟା ସରକାରଙ୍କୁ ଏହି ମାମଲାର ଯାଂଚ କରିବାକୁ ବାଧ୍ୟ କରିଥିଲା । ଏହାପରେ ସୁରକ୍ଷା ଏଜେନ୍ସି ସ୍ୱୀକାର କରିଥିଲେ ହାମିଦ ତାଙ୍କ ହେପାଜତରେ ଅଛନ୍ତି । ଏହାପରେ ସେନାର ଏକ କୋର୍ଟ ହାମିଦଙ୍କୁ ବେଆଇନ ରୂପରେ ପାକିସ୍ତାନରେ ପ୍ରବେଶ କରିବା ଏବଂ ଜାସୁସ୍ କରିବା ଅପରାଧରେ ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି ।

ପରବତ୍ତି ସମୟରେ ତଥା ଚଳିତ ବର୍ଷ ଜିନତ ମଧ୍ୟ ନିଖୋଜ ହୋଇଯାଇଥିଲେ । ୧୯ ଅଗଷ୍ଟ ୨୦୧୫ରେ ଜିନାତ ଅଟୋ ଯୋଗେ ନିଜ ଅଫିସକୁ ଯାଉଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଅପହରଣ କରି ନେଇଥିଲେ । ଶୁଣିବାକୁ ମିଳିଥିଲା କି, ହାମିଦ ଅନସାରୀ ମାମଲାରେ ଜିନାତଙ୍କୁ କିଛି ଦିନ ପରେ କମିଶନ ଅଫ ଇନକ୍ୱାରୀ ଅଫ ଇନଫୋର୍ସଡ ଡିସାପିଅରେନ୍ସ ସାମ୍ନାରେ ବୟାନ ଦେବାକୁ ଥିଲା । ଜିନାତ ୨ବର୍ଷ କାଳ ନିଖୋଜ ଥିଲେ । ତାଙ୍କର କୌଣସି ବି ପତ୍ତା ମିଳିନଥିଲା । ଏପରିକି ଜିନାତଙ୍କ ଅପହରଣ ହେବା ପରେ ତାଙ୍କର ଛୋଟ ଭାଇ ଆତ୍ମହତ୍ୟା କରି ଦେଇଥିଲେ ।

ସୌଜନ୍ୟ: ଜନସତ୍ତା