ଟଙ୍କା ଉଠାଇବା ପାଇଁ ପରିବାର ଲୋକଙ୍କୁ ଦେଉଛନ୍ତି କି ଏଟିଏମ କାର୍ଡ ! ସାବଧାନ, ଅସୁବିଧାରେ ପଡିପାରନ୍ତି ଆପଣ ଆଉ ଅଭିଯୋଗ କଲେ ବି ବ୍ୟାଙ୍କ କରିବନି ଗ୍ରହଣ

37

ଯଦି ଆପଣ ଆପଣଙ୍କର ବନ୍ଧୁପରିଜନ କିମ୍ବା ସ୍ୱାମୀ-ସ୍ତ୍ରୀ କିମ୍ବା ପିଲାଛୁଆଙ୍କୁ ନିଜ ଡେବିଟ କାର୍ଡ ଦେଇ ଏଟିଏମରୁ ଟଙ୍କା ଉଠାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଭଳି କରିବା ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି । ଯଦି ଆପଣ ଆପଣଙ୍କ ପରିବାରର କୌଣସି ବି ସଦସ୍ୟଙ୍କୁ ନିଜ କାର୍ଡ ଦେଇ ଏଟିଏମରୁ ଟଙ୍କା ଉଠାଉଛନ୍ତି । ତେବେ ଏହି ସମୟରେ କୌଣସି ଅଘଟଣ ଘଟିଲେ ଯେପରିକି ଖାତାରୁ ଟଙ୍କା ଆପଣା ଛାଏଁ କଟିଗଲେ କିମ୍ବା ଆପଣଙ୍କୁ ମେସିନରୁ କ୍ୟାସ ନ ମିଳିଲେ, ଆପଣ ଏଭଳି ମାମଲାରେ ବ୍ୟାଙ୍କ ନିକଟରେ ଅଭିଯୋଗ କଲେ ବ୍ୟାଙ୍କ ଆପଣଙ୍କୁ କୌଣସି ବି ସହଯୋଗ କରିବ ନାହିଁ ।

କାରଣ ଏଭଳି ଏକ ମାମଲା ବେଙ୍ଗାଲୁରୁରେ ଘଟିଛି । ଜଣେ ଯୁବକ ତାଙ୍କ ପତ୍ନୀଙ୍କ ଡେବିଟ୍ କାର୍ଡରୁ ଟଙ୍କା ଉଠାଇବା ପାଇଁ ଏଟିଏମକୁ ଯାଇଥିଲେ । ଯେତେବେଳେ ଯୁବକ ଜଣକ କାର୍ଡଟିକୁ ଏଟିଏମ ମେସିନରେ ସ୍ୱାଇପ କରିଥିଲେ ସେତେବେଳେ ଆକାଉଂଟରୁ ଟଙ୍କା କଟିଯାଇଥିଲା ସତ ହେଲେ ଉକ୍ତ ଟଙ୍କାଟି ମେସିନରେ ଅଟକି ଯାଇଥିଲା । ଯୁବକ ଜଣକ ବହୁ ସମୟ ଅପେକ୍ଷା କରି ଯେତେବେଳେ ଟଙ୍କା ପାଇ ନଥିଲେ ଶେଷରେ ସେ ଘରକୁ ଫେରି ଆସିଥିଲେ ଆଉ ଘଟଣା ସଂପର୍କରେ ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ । ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀ ବ୍ୟାଙ୍କ ଯାଇ ଏନେଇ ଅଭିଯୋଗ କରିବାରୁ ବ୍ୟାଙ୍କ ତାଙ୍କ ଅଭିଯୋଗକୁ ରିଜେକ୍ଟ କରିଦେଇଥିଲା । ଏହାପରେ ସେମାନେ କଷ୍ଟମର ଫୋରମର ଦ୍ୱାରସ୍ତ ହୋଇଥିଲେ । ପାଖାପାଖି ୪ ବର୍ଷ ପରେ କୋର୍ଟ ଦଂପତିଙ୍କ ବିରୋଧରେ ନିଷ୍ପତି ଶୁଣାଇଥିଲା । ତେବେ କୋର୍ଟ କହିଥିଲା କି, ଜଣେ ଖାତାଧାରକ ଏଟିଏମ କାର୍ଡ ବ୍ୟବହାର କରିବା ପାଇଁ ଅଧିକୃତ ଅଟନ୍ତି ।

କିଛି ଗୁରୁତ୍ୱପୂର୍ଣ୍ଣ କଥା

କାର୍ଡରେ ନିଜ ପିନ ନମ୍ବର ଆଦୌ ଲେଖନ୍ତୁ ନାହିଁ । ସବୁବେଳେ ମନେ ରଖନ୍ତୁ । ଅଜଣା ଲୋକଙ୍କଠାରୁ ଏଟିଏମ ଟ୍ରାନଜାକ୍ସନରେ ସହାୟତା ନିଅନ୍ତୁ ନାହିଁ । କୌଣସି ବି ଅଜଣା ବ୍ୟକ୍ତିଙ୍କୁ ନିଜ ଏଟିଏମ ପିନ ନମ୍ବର କୁହନ୍ତୁ ନାହିଁ । ଏପରିକି ବ୍ୟାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ବି ନିଜ ପିନ ନମ୍ବର କୁହନ୍ତୁ ନାହିଁ । ସେହିପରି ପେମେଂଟ ସମୟରେ କାର୍ଡ ଉପରେ ପୂରା ନଜର ରଖନ୍ତୁ । ତେବେ ଏଟିଏମରୁ କ୍ୟାସ ନ ବାହାରିଲେ ଏବଂ ଟଙ୍କା ଖାତାରୁ କଟି ଯାଇଥିଲେ ତୁରନ୍ତ ଏସଂପର୍କରେ ବ୍ୟାଙ୍କରେ ଜଣାନ୍ତୁ । କୌଣସି ବି ଟ୍ରାନଜାକସନ କରିବା ପରେ ତୁରନ୍ତ ମୋବାଇଲ ଉପରେ ଏସଏମଏସ ଚେକ୍ କରନ୍ତୁ ।