ରାହୁଲଙ୍କ ଗସ୍ତ ପୂର୍ବରୁ ଯୋଗୀଙ୍କ କଟାକ୍ଷ ! କହିଲେ, ଦିଲ୍ଲୀବାସୀ ଗୋରଖପୁରକୁ କରିଦେଲେଣି ପର୍ଯ୍ୟଟନ ସ୍ଥଳୀ

23

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଗୋରଖପୁରରେ ପହଞ୍ଚିଛନ୍ତି । ରାହୁଲ ବିଆରଡ଼ି ଡ଼ାକ୍ତରଖାନାରେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଥିବା ଶିଶୁମାନଙ୍କର ପରିଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଯୋଗୀ ଆଦିତ୍ୟନାଥ କଟୁ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ ବାସିନ୍ଦା ଗୋରଖପୁରକୁ ପିକନିକର ସ୍ଥାନ ଭାବେ ବିବେଚନା କରିଦେଲେଣି ।

ସୁଚନା ମୁତାବକ, ଯୋଗୀ ଶନିବାର ଗୋରଖପୁରରେ ପହଞ୍ଚି ସ୍ୱଚ୍ଛ ୟୁପି-ସୁସ୍ଥ ୟୁପି ନାମକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଯୋଗୀ ରାହୁଲଙ୍କ ଗସ୍ତକୁ ନେଇ ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀରେ ବସିଥିବା କୌଣସି ଯୁବରାଜ ଏବଂ ଲକ୍ଷ୍ନୌରେ ଥିବା ଯୁବରାଜ ଏହି କଷ୍ଟକୁ ଜାଣିପାରିବେ ନାହିଁ । ଆମେ ପୂର୍ବ ଉତ୍ତରପ୍ରଦେଶକୁ ପିକନିକର ସ୍ଥାନ କରିବାକୁ ଅନୁମତି ଦେଇପାରିବୁ ନାହିଁ । ସ୍ୱଚ୍ଛ ଏବଂ ସୁନ୍ଦର ୟୁପି ହେବାର ଆବଶ୍ୟକତା ରହିଛି । ଇନସେଫାଲାଇଟ୍‌ ପରି ରୋଗ ସହିତ ଆମେ ଅନେକ ବର୍ଷ ଧରି ଲଢ଼ି ଆସିଛୁ । ଏହାକୁ କମ୍‌ କରିବା ପାଇଁ ସ୍ୱଚ୍ଛତା ଅତି ଆବଶ୍ୟକ । ଏପରିକି ସରକାର ଏହାକୁ ନେଇ ଟିକାକରଣ ଅଭିଯାନ ମଧ୍ୟ ଚଳାଇଛି ।

ଏଠାରେ ଆମେ କହିରଖୁଛୁ ଯେ, ରାହୁଲ ଗାନ୍ଧୀଙ୍କ ସହ ଗୁଲାମ ନବୀ ଆଜାଦ ଏବଂ ପ୍ରଦେଶ ଅଧ୍ୟକ୍ଷ ରାଜ ବବ୍ବର ମଧ୍ୟ ଉପସ୍ଥିତ ରହିବେ । ରାହୁଲ ବିମାନବନ୍ଦରରୁ ସିଧା ବାଘାଗାଡ଼ାରେ ପିଡ଼ିତ ବ୍ରହ୍ମଦେବ ଯାଦବଙ୍କ ଘରକୁ ଯିବେ । ଏହାପରେ ସେ ଆହୁରୀ ଅନେକ ପରିବାରକୁ ଭେଟି ସମ୍ୱେଦନା ଜଣାଇବା ପରେ ଅପରାହ୍ନ ୫ଟା ସମୟରେ ମେଡ଼ିକାଲ କଲେଜରେ ପହଞ୍ଚିବା ନେଇ ଜଣାପଡ଼ିଛି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍