ରଙ୍ଗ ଲାଗିଥିବା ନୋଟ୍ ହେବ ନାହିଁ ଅଚଳ । ନୂଆ ୫୦୦ ଓ ୨୦୦୦ଟଙ୍କିଆ ନୋଟ ବ୍ୟାଙ୍କରେ କରିପାରିବେ ବଦଳ

42

ଯଦି ଆପଣଙ୍କ ନିକଟରେ ନୂଆ ୫୦୦ ଏବଂ ୨ ହଜାର ଟଙ୍କିଆ କିଛି ଏଭଳି ନୋଟ୍ ପଡି ରହିଛି । ଯେଉଁଥିରେ କି କିଛି ଲେଖା ଯାଇଥିବ କିମ୍ବା ସେଥିରେ କିଛି ରଙ୍ଗ ଲାଗିଯାଇଛି ଆଉ ଏହି ସବୁ ନୋଟକୁ ନେବା ପାଇଁ କେହି ବି ରାଜି ହେଉନାହାଁନ୍ତି ତେବେ ଏଥିପାଇଁ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଏହି ନୋଟକୁ ଏବେ ସବୁ ବ୍ୟାଙ୍କ ଗ୍ରହଣ କରିବାକୁ ବାଧ୍ୟ ଅଟନ୍ତି । ଏକଥା ଆମେ କହୁ ନାହୁଁ ବରଂ ଆରବିଆଇ ସ୍ପଷ୍ଟ କରିଛି ।

ସୂଚନା ମୁତାବକ, ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଆରବିଆଇର କିଛି ବରିଷ୍ଠ ଅଧିକାରୀ ଯୋଗଦେଇ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟା ବୁଝିବା ସହିତ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟର ସୁରକ୍ଷାକୁ ନେଇ ସଚେତନ କରାଇଛନ୍ତି । ଆରବିଆଇର ଅଧିକାରୀମାନେ କହିଛନ୍ତି କି, ଯଦି କୌଣସି ବ୍ୟକ୍ତିବିଶେଷଙ୍କ ନିକଟରେ ଏଭଳି ନୋଟ ରହିଛି, ଯେଉଁଥିରେ କି କିଛି ଲେଖା ଥିବ କିମ୍ବା ରଙ୍ଗ ଲାଗିଯାଇଥିବ ତେବେ ଏଭଳି ନୋଟକୁ ଆପଣ ବ୍ୟାଙ୍କରେ ଜମା କରିପାରିବେ ।

ଆରବିଆଇ ଅଧିକାରୀମାନେ ଏଭଳି ସୂଚନା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦେଇ କହିଛନ୍ତି କି, ଏହି ନୋଟ ଗ୍ରହଣ କରିବାକୁ ଆପଣଙ୍କୁ କୌଣସି ବି ବ୍ୟାଙ୍କ ମନା କରିପାରିବେ ନାହିଁ । ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ବି ଏ ସଂପର୍କରେ ଲୋକମାନଙ୍କର ଭ୍ରମ ଦୂର କରିସାରିଛନ୍ତି । ସେହିପରି ୧୦ ଟଙ୍କିଆ କଏନ ମଧ୍ୟ ଗ୍ରହଣଯୋଗ୍ୟ ଅଟେ । ଯଦି କୌଣସି ବ୍ୟକ୍ତି ଏହି କଏନକୁ ନେବା ପାଇଁ ମନା କରି ଦିଅନ୍ତି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରବିଆଇ ପକ୍ଷରୁ ସୂଚନା ମିଳିଛି ।