ଆକାଶରେ ଉଡିବାର ଅଦମ୍ୟ ଇଚ୍ଛା, ହାରମାନିଲା ତମାମ ପ୍ରତିବନ୍ଧକ

59

ଭାରତର ପୁଣି ଜଣେ ସୁନା ଝିଅ ଏନ୍ନି ଦିବ୍ୟା ଦେଶର ନାଁକୁ କରିଛନ୍ତି ଉଜ୍ଜଳ । ବୋଇଂ ୭୭୭ ପ୍ଲେନ୍ ଉଡାଇବାରେ ଦିବ୍ୟା ଦେଶର ପ୍ରଥମ ତଥା କମ୍ ବୟସ୍କା ପାଇଲଟ୍ । ସେହିପରି ବୋଇଂ ୭୭୭ ହେଉଛି ବିଶ୍ୱର ସବୁଠାରୁ ବଡ ଯାତ୍ରୀବାହୀ ବିମାନ ମଧ୍ୟରେ ଗୋଟିଏ । ଯାହାକୁ ଦିବ୍ୟା ମାତ୍ର ୩୦ ବର୍ଷ ବୟସରେ ଉଡାଇଛନ୍ତି ।
ଖାଲି ସେତିକି ନୁହେଁ ଏନ୍ନି ଦିବ୍ୟାଙ୍କୁ ଯେତେବେଳେ ୧୯ ବର୍ଷ ବୟସ ହୋଇଥିଲା, ସେ ସମୟରେ ତାଙ୍କୁ ବୋଇଂ-୭୩୭ ଉଡାଇବାକୁ ସୁଯୋଗ ମିଳିଥିଲା । ଯାହାପରେ ସେ କେବେ ଆଉ ପଛକୁ ଫେରିି ଚାହିଁନଥିଲେ । ଏହାର ମାତ୍ର ଦୁଇ ବର୍ଷ ପରେ ଅର୍ଥାତ୍ ୨୧ ବର୍ଷ ବୟସରେ ଦିବ୍ୟା ବୋଇଂ ୭୭୭ ଉଡାଇବା ଆରମ୍ଭ କରିଥିଲେ ।

କିପରି ଥିଲା ଏନ୍ନି ଦିବ୍ୟାଙ୍କ ଜୀବନ

ଦେଶର ସୁନା ଝିଅ ଦିବ୍ୟାଙ୍କ ବାପା ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ । ଯିଏ କି ପଠାନକୋଟରେ ବାସ କରନ୍ତି । ବାପାଙ୍କ ଚାକିରି କାଳରେ ଦିବ୍ୟାଙ୍କର ପିଲାଦିନ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ବିତିଥିଲା । ଏକ ସାକ୍ଷାତକାରରେ ଏନ୍ନି ଦିବ୍ୟା କୁହନ୍ତି, ‘ଆଜି ମୁଁ ଯେଉଁ ଜାଗାରେ ପହଂଚିଛି ସେଥିପାଇଁ ମୋ ବାପାମାଆଙ୍କୁ ଧନ୍ୟବାଦ ଜଣାଉଛି । ଯଦି ମୋ ବାପା-ମାଆ ମୋତେ ଏଥିପାଇଁ ଉତ୍ସାହିତ କରିନଥାନ୍ତେ ତେବେ ମୁଁ ବୋଧହୁଏ ଏପର୍ଯ୍ୟନ୍ତର ଯାତ୍ରାକୁ ସଫଳ କରିବାରେ ଅସମର୍ଥ ହୋଇଥାନ୍ତି’ ।

ତେବେ ଦିବ୍ୟା ପିଲାଟି ଦିନରୁ ହିଁ ଉଡାଜାହାଜ ଉଡାଇବାକୁ ସଉକ୍ ରଖିଥିଲେ । ଯାହା ପାଇଁ ବୋଧହୁଏ ଦିବ୍ୟା ଏହି ସ୍ଥାନରେ ପହଂଚିବାରେ ସକ୍ଷମ ହୋଇଛନ୍ତି । ଦିବ୍ୟା କୁହନ୍ତି, ଯେତେବେଳେ ସେ ପାଇଲଟ୍ ହେବାପାଇଁ ପାଠପଢା ଆରମ୍ଭ କରିବାକୁ ଚିନ୍ତା କଲେ ତାଙ୍କ ପାଇଁ ଇଂରାଜୀ ଭାଷା ବୁଝିବା ଥିଲା କଷ୍ଟକର ବ୍ୟାପାର । ମାତ୍ର ଫ୍ଲାଇଂ ଏକାଡେମୀ ଆସିବାପରେ ସେ ଏହି ଚାଲେଞ୍ଜକୁ ମାତ୍ ଦେଇଥିଲେ ।

ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଏନ୍ନି ୟୁପିର ଫ୍ଲାଇଂ ସ୍କୁଲ୍ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମୀରେ ଆଡମିସନ କରିଥିଲେ ଯେଉଁଥିପାଇଁ ତାଙ୍କୁ ଲୋନ୍ ନେବାକୁ ପଡିଥିଲା । ତେବେ ଏନ୍ନିଙ୍କ ଖରାପ ତଥା ଦୁର୍ବଳ ଇଂରାଜୀ କାରଣରୁ ଅଧିକାଂଶ ସମୟରେ ତାଙ୍କୁ ଅନ୍ୟମାନଙ୍କ ଥଟ୍ଟା ପରିହାସର ଶିକାର ହେବାକୁ ପଡିଥିଲା । ହେଲେ ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଥିଲା ସମସ୍ତ ବାଧାବିଘ୍ନ । ଆଉ ଭଲ ନମ୍ବର ରଖି ହାସଲ କରିଥିଲେ ମେଧାବୃତ୍ତି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍