ଆଜି ବିଶ୍ୱ ମ୍ୟାଲେରିଆ ଦିବସ : ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ

58

କନକ ବ୍ୟୁରୋ: ଆଜି ବିଶ୍ୱ ମ୍ୟାଲେରିଆ ଦିବସ । ବିଶ୍ୱବ୍ୟାପୀ ମ୍ୟାଲେରିଆର ଭୟାବହତାକୁ ନେଇ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱରେ ୧୦୬ଟି ଦେଶର ୩.୩ ବିଲିଅନ୍ ଲୋକ ମ୍ୟାଲେରିଆର ଶିକାର ହେଉଥିବା ଜଣାପଡ଼ିଛି ।

ଜାତୀୟ ବାହକରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନଭିବିଡିସିପିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ମସିହାରେ ଓଡ଼ିଶାରେ ୯୫ ହଜାର ୪ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ୮୯ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୧୫ ମସିହାରେ ୪ଲକ୍ଷ ୩୬ହଜାର ୮୫୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହି ବର୍ଷ ୮୦ଜଣ ପ୍ରାଣ ହରାଇଥିଲେ। ୨୦୧୬ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇ ୪ଲକ୍ଷ ୪୯ହଜାର ୬୯୭ରେ ପହଞ୍ଚିଥିଲା । ସେହିବର୍ଷ ମ୍ୟାଲେରିଆରେ ୭୭ଜଣ ପ୍ରାଣ ହରାଇଥିଲେ । ୨୦୧୭ ମସିହାରେ ୩ଲକ୍ଷ ୫୨ହଜାର ୧୪୭ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ଜଣ ପ୍ରାଣ ହରାଇଥିଲେ । ସେଥିରୁ ରାୟଗଡ଼ା ଜିଲ୍ଲାରେ ସର୍ବାଧକ ୪୯ହଜାର ୩୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣ ପ୍ରାଣ ହରାଇଥିଲେ । ଏହା ପଛକୁ କୋରାପୁଟ। ଏହି ଜିଲ୍ଲାରେ ୩୫ହଜାର ୮୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦୁଝର ଓ ଅନୁଗୁଳରେ ୩ଜଣ ପ୍ରାଣ ହରାଇଛନ୍ତି । ଚଳିତବର୍ଷ ମାର୍ଚ ସୁଦ୍ଧା ୧୧୧ଜଣ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆଗକୁ ବର୍ଷାଦିନ ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ରାଜ୍ୟର ୧୭ଟି ଜିଲ୍ଲା ସର୍ବାଧିକ ମ୍ୟାଲେରିଆ ପ୍ରବଣ। ପ୍ରତିବର୍ଷ କୋରାପୁଟ, ମାଲକାନଗିରି, ନରବଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ମ୍ୟାଲେରିଆର ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୪ଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି । ଏଥିରେ ୪୧୫୫ଟି କ୍ୟାମ୍ପ ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ପର୍ୟ୍ୟନ୍ତ ୩୭୬୩ଟି କ୍ୟାମ୍ପ ଆୟୋଜିତ ହୋଇଛି। ୪୩ହଜାର ମ୍ୟାଲେରିଆ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟର ତୃଣମୂଳସ୍ତରରେ ମ୍ୟାଲେରିଆ ଚିହ୍ନଟ ପାଇଁ ୩୦ଟି ଜିଲ୍ଲାରେ ଅଲିମ୍ପସ୍ କମ୍ପାନିର ୬ଶହ ମାଇକ୍ରୋସ୍କୋପ୍ ଦିଆଯାଇଛି । ସେହିପରି ମ୍ୟାଲେରିଆପ୍ରବଣ ଅଞ୍ଚଳରେ ଏଲଏଲଆଇଏନ୍ ମଶାରି ବଣ୍ଟନ କରାଯାଇଛି । ୧୭ଟି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ଏହି ମଶାରି ଦିଆଯାଇଥିବା ବେଳେ ଯାଜପୁର, ସୋନପୁର ଓ ଢେଙ୍କାନାଳ ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହି ମଶାରି ଦିଆଯାଇଛି । ରାଜ୍ୟରେ ମ୍ୟାଲେରିଆ ଅଭିଯାନରେ ୪୭ହଜାର ୪୭୪ଜଣ ତାଲିମପ୍ରାପ୍ତ ଆଶାକର୍ମୀ ରହିଛନ୍ତି । ସେମାନଙ୍କ ନିକଟରେ ମ୍ୟାଲେରିଆ ଚିହ୍ନଟ ପାଇଁ ଆରଡିକେ କିଟ୍ ଦିଆଯାଇଥିବା ବେଳେ ଔଷଧ ଦିଆଯାଇଛି। ଏହାସହ ରାଜ୍ୟର ୨୨ଟି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଡିଡିଟି ସିଞ୍ଚନ କରାଯାଇଛି । ଏଥିରେ ୭୦/୮୦ଲକ୍ଷ ଲୋକ ଉପକୃତ ହେଉଥିବା ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି ।