ଆତଙ୍କୀ ମସୁଦ ଅଜହର: ଜଣେ ପ୍ରିନ୍ସିପାଲର ପୁଅ କିଭଳି ସାଜିଲା ମଣିଷ ସମାଜ ପାଇଁ ବଡ ବିପଦ

465

ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମୋଦର ମୁଖ୍ୟ ମସୁଦ ଅଜହରର ପାକିସ୍ତାନରେ ମୃତ୍ୟୁ ହେବା ଖବର ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ବି ମୁଖ୍ୟ ଖବର ପାଲଟିଯାଇଛି । ପ୍ରକୃତରେ ଅଜହର ମରିଛି ନା ଏହା ପାକିସ୍ତାନର ଆଉ ଏକ ନୂଆ ଚାଲ୍, ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଯାଂଚ କଡାକଡି କରାଯାଇଛି । ଅନ୍ୟପଟେ ଅଜହରର ମୃତ୍ୟୁକୁ ଖଣ୍ଡନ କରିଛି ପାକିସ୍ତାନ । ମସୁଦ ମରି ନାହିଁ, ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାକୁ ପାକ୍ ଆର୍ମି ହସପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ମସୁଦର କିଡନୀ ଖରାପ ହୋଇଯାଇଥିବା ଜଣାପଡିଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସୋସିଆଲ ମିଡିଆରେ ଅଜହରର ମୃତ୍ୟୁକୁ ନେଇ ଅନେକ କଥା ଭାଇରାଲ ହେଉଛି , କିନ୍ତୁ ବାସ୍ତବରେ ଅଜହର ମୃତ ନା ଜୀବିତ ତାହା ଏବେବି ଅସ୍ପଷ୍ଟ ରହିଛି । ତେବେ ସେ ଯାହା ହେଉନା କାହିକି ସମୁଦ ଅଜହର ପ୍ରକୃତରେ କିଏ , ସେ କିଭଳି ଆତଙ୍କବାଦୀ ପାଲଟିଲା ସେ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ..

ମସୁଦ ଅଜହର କିଏ

ମସୁଦର ଜନ୍ମ ପାକିସ୍ତାନର ବହାବଲପୁରରେ ହୋଇଥିଲା । ସୂଚନା ମୁତାବକ, ଅଜହରର ବାପା , ଅଲ୍ଲାହ ବଶ୍ୟ ଶବିର ଜଣେ ପ୍ରିନ୍ସିପାଲ। ମସୁଦର ପରିବାର ଦୁଗ୍ଧ  ବ୍ୟବସାୟ କରି ଚଳନ୍ତି । ଅଜହର ପାଠପଢା କରାଚିର ଜାମିୟା ଉଲ୍ ଇସଲାମିୟାରେ ହୋଇଥିଲା ଏବଂ ସେଠାରେ ହରକତ-ଉଲ-ଅନସାରରେ ସାମିଲ ହୋଇଯାଇଥିଲା, ଆଉ ଏହିଠୁ ହିଁ ଅଜହରର ଆତଙ୍କୀ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିଲା । ପାଖାପାଖି ୧୯୯୪ରେ ସେ ଶ୍ରୀନଗର ଚାଲିଆସିଥିଲା । ତାକୁ ସେହି ବର୍ଷ ଫେବୃଆରୀରେ ହିଁ ପୁଲିସ ଗିରଫ କରି ଜେଲରେ ବନ୍ଦୀ କରିଦେଇଥିଲା । ତେବେ ଆତଙ୍କବାଦୀମାନେ ଅଜହରକକୁ ଜେଲରୁ ମୁକ୍ତ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ । ୧୯୯୫ରେ ଜମ୍ମୁକାଶ୍ମୀରରେ କିଛି ବିଦେଶୀ ପର୍ଯ୍ୟଟକକୁ ଛାଡିବା ବଦଳରେ ମସୁଦ ଅଜହରକୁ ଜେଲରୁ ମୁକ୍ତ କରିବାକୁ ଦାବି ଆରମ୍ଭ କରିଥିଲେ । ହେଲେ ଆତଙ୍କୀଙ୍କ କବଳରୁ ଜଣେ ବିଦେଶୀ ପର୍ଯ୍ୟଟକ ଖସି ଆସିବା ପରେ ସେମାନେ ବନ୍ଧକ ରଖିଥିବା ସବୁ ପର୍ଯ୍ୟଟକଙ୍କୁ ହତ୍ୟା କରିଦେଇଥିଲେ ।

ଆତଙ୍କୀ ଦୁନିଆରେ ଅଜହର

ଅଜହର ବହୁ ପୂର୍ବରୁ ହିଁ ଆତଙ୍କୀ ଜଗତରେ ପାଦ ରଖିସାରିଥିଲା । ସୂଚନା ମୁତାବକ, ସେ ପ୍ରଥମେ ହରକତ-ଉଲ-ଅନସାରର ଜେନେରାଲ ସେକ୍ରେଟାରୀ ରୂପରେ କାମ ଆରମ୍ଭ କରିଥିଲା । ମିଡିଆ ରିପୋର୍ଟ ମୁତାବକ, ୧୯୯୪ରେ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହି ନେଟଓର୍କର ହାତ ଥିଲା, ଯେଉଁଥିରେ କି ମସୁଦର ଗୁରୁତ୍ୱପୂର୍ଣ୍ମ ଭୂମିକା ରହିଥିଲା ।

ଯଦିଓ ତାକୁ ସେହି ସମୟରେ ଗିରଫ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଛାଡି ଦିଆଯାଇଥିଲା । ସେପର୍ଯ୍ୟନ୍ତ ଆମେରୀକାକୁ ଅଜହରର ଶକ୍ତି ସଂପର୍କରେ ସୂଚନା ମିଳିସାରିଥିଲା । ଏବଂ ଆମେରିକା ହରକତ-ଉଲ-ଅନସାର କୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ତାଲିକାରେ ତାର ନାଁ ଉଠାଇଦେଇଥିଲା । ତେବେ ଏହି ତାଲିକାରୁ ବାହାରିବା ପାଇଁ ଆତଙ୍କୀ ସଂଗଠନ ଦଳର ନାଁ ବଦଳାଇ ହରକତ-ଉଲ-ମୁଜାହିଦ୍ଦିନ କରିଦେଇଥିଲା । ପାକିସ୍ତାନୀ ଅଧିକାରୀମାନେ ଭାରତରେ ହୋଇଥିବା ପଠାନକୋଟ ଆକ୍ରମଣ ପରେ ତାକୁ ନିଜ କବଜାରେ ନେଇଯାଇଥିଲେ । ଯାହାପରେ ଭାରତ ମସୁଦକୁ ତାର ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ତାକୁ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆତଙ୍କବାଦୀମାନଙ୍କ ତାଲିକାରେ ରଖିଛି ।

ଆତଙ୍କୀ ସମୂହକୁ ଆହୁରୀ ମଜଭୁତ କରିବା ପାଇଁ ଅଜହର ଜୈସ-ଏ-ମୋହମ୍ମଦ ଗଠନ କରିଥିଲା । ଏଥିରେ ପାକିସ୍ତାନର ସେନା ଗୁଇନ୍ଦା ଏଜେନ୍ସି, ଆଇଏସଆଇର ପୂରା ସମର୍ଥନ ମିଳିଥିଲା । ଆଇଏସଆଇ ତାକୁ ବହୁ ମାତ୍ରାରେ ଅର୍ଥ ଯୋଗାଇଲା ଏବଂ ସବୁ ଦିଗରୁ ସପୋର୍ଟ ମଧ୍ୟ କଲା । ଆଫଗାନିସ୍ତାନ ସ୍ଥିତ ତାଲିବାନ ଏବଂ ଓସାମା ବିନ ଲାଦେନର ସମୁହ ବି ଏହାକୁ ମଜଭୁତ କରିବାକୁ ଅଜହରର ପୂରା ସାଥ୍ ଦେଇଥିଲେ ।

ବଡ ବଡ ଆକ୍ରମଣରେ ରହିଥିଲା ହାତ

ଏହାପରେ ଅଜହର ନିଜର ଭାଷଣବାଜୀ ପାଇଁ ପାକିସ୍ତାନ ପାଇଁ ହିରୋ ବନିଯାଇଥିଲା ଆଉ ବିଶ୍ୱ ପାଇଁ ବଡ ଶତ୍ରୁ । ନିଜର ଭାଷଣବାଜୀରେ ଅଣ ମୁସଲମାନ ସଂପ୍ରଦାୟ ପ୍ରତି ବିଷ ଓଗାଳିବା ସହ କାଶ୍ମୀରକୁ ନେଇ ଉତ୍ତେଜନା ମୂଳକ ଭାଷଣ ପାଇଁ ଆତଙ୍କୀ ଦୁନିଆରେ ତାର ନାଁ ବେଶ୍ ଚର୍ଚ୍ଚିତ ହୋଇଗଲା । ୧୪ ଫେବୃଆରୀରେ ପୁଲବାମା ଆକ୍ରମଣ ପଛରେ ଏହି ଜୈସ-ଏ-ମୋହମ୍ମଦର ହାତ ଥିବା ସ୍ୱୀକାର କରିଛି ଖୋଦ୍ ଅଜହର । ସେହିଭଳି ୨୦୧୬, ଜାନୁଆରୀରେ ପଠାନକୋଟ ହମଲାରରେ ୭ ଜଣ ଭାରତୀୟ ଯବାନଙ୍କର ଜୀବନ ମଧ୍ୟ ଏହି ସଂଗଠନ ନେଇଥିଲା । ସେପ୍ଟମ୍ବର ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପଛରେ ବି ଏହି ସଂଗଠନର ହାତ ରହିଥିଲା । ତେବେ ଏହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ।

ଭାରତର ଚାପରେ ନଇଁଲା ପାକିସ୍ତାନ

ମସୁଦ ଆଝାର ଓ ଜୈସ୍ -ଏ-ମହମ୍ମଦ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି । ଅନ୍ତର୍ଜାତୀୟ ଚାପ ଯୋଗୁଁ ପାକିସ୍ତାନ ଏପରି କରିବାକୁ ଯାଉଛି । ମସୁଦ ଆଝାରକୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ହେବା ନେଇ ପାକିସ୍ତାନ ଯେଉଁ ଆପତି କରିଆସୁଥିଲା, ସେଥିରୁ ହଟିଯାଇପାରେ । ଯଦି ଏପରି ହୁଏ ଏହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି ଗଣନା କରାଯିବ । ମସୁଦଙ୍କୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ସହ ତା ଉପରେ କଟକଣା ଲଗାଇବାକୁ ଦାବି କରି ପୂର୍ବରୁ ଅନେକଥର ଜାତିସଂଘରେ ପ୍ରସ୍ତାବ ଆସିଛି ।

ତେବେ ପାକସ୍ତାନର ବିରୋଧ ଓ ଚୀନର ଭିଟୋ ପାୱାର ଯୋଗୁଁ ଏହା ସମ୍ଭବ ହୋଇ ପାରି ନାହିଁ । ଗତ ସପ୍ତାହରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମସୁଦ୍ ଓ ତାର ସଂଗଠନକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଣିଥିଲା । ୧୦ ବର୍ଷ ମଧ୍ୟରେ ମସୁଦକୁ ଆନ୍ତର୍ଜାତୀୟ କଳା ତାଲିକାଭୁକ୍ତ କରିବାକୁ ୪ଥର ପ୍ରସ୍ତାବ ଆସିଛି । ହେଲେ ସବୁଥର ପରି ଚୀନର ବିରୋଧ ଯୋଗୁଁ ପାରିତ ହୋଇ ପାରି ନଥିଲା । କିନ୍ତୁ ଏଥର ଚୀନ ନୀରବ ରହିଛି । ତେବେ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବ ନେଇ ନିଜର ମତ ରଖିପାରିବେ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର ।