ଆଜି ବି ବଂଚିଛି ମାନବିକତା ! କାନ୍ଦୁଥିବା କୁନି ଝିଅକୁ ଦେଖି ଦୁର୍ଘଟଣାର ଶିକାର ହୋଇଥିବା ଯୁବକକୁ ଡ଼ାକ୍ତରଖାନା ନେଲେ ଉବେର ଚାଳକ

49

ବେଳେ ବେଳେ ଘଟୁଥିବା ଘଟଣା ଦେଶରେ ଆଜି ବି ମାନବିକତା ବଞ୍ଚି ରହିଛି ବୋଲି ପ୍ରମାଣ କରିଥାଏ । କୌଣସି ଘଟଣା ଘଟିଲେ ଲୋକମାନେ ପରସ୍ପରକୁ କେବଳ ଦାୟୀ କରିଥାନ୍ତି । କେହି ସେ ଘଟଣାରେ ସଂପୃକ୍ତ ହୁଅନ୍ତି ନାହିଁ । ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିଲେ ଲୋକମାନେ ଜମା ହୁଅନ୍ତି ସତ କିନ୍ତୁ ପୁଲିସର ପ୍ରଶ୍ନକୁ ସାମ୍ନା କରିବାକୁ ପଡ଼ିବ ବୋଲି ଭାବି କେହି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରନ୍ତି ନାହିଁ । ଏଭଳି ଅନେକ ଘଟଣା ପୂର୍ବରୁ ଘଟିଛି ଏବଂ ଆପଣମାନେ ଦେଖିଥିବେ ମଧ୍ୟ । କିନ୍ତୁ ଦିଲ୍ଲୀରେ ଘଟିଥିବା ଘଟଣା ଦେଶରେ ଏବେ ବି ମାନବିକତା ରହିଛି ବୋଲି ପ୍ରମାଣ କରିଛି । ଏହି ଘଟଣା ବିଷୟରେ ଫେସ୍‌ବୁକ୍‌ରେ ଗୌରବ ଜୈନ୍‌ ନାମକ ଜଣେ ବ୍ୟବହାରକାରୀ ପୋଷ୍ଟ କରିବା ପରେ ସାମ୍ନାକୁ ଆସିଥିଲା ।

ଗୌରବ ଜୈନ୍‌ କରିଥିବା ପୋଷ୍ଟ ଅନୁଯାୟୀ, ସେ ଏବଂ ଜଣେ ଉବେର ଚାଳକ ମାୟାପୁରୀ ଫ୍ଲାଏଓଭର ଦେଇ ଯାଉଥିବା ବେଳେ ଉବେର ଚାଳକ କୁଲ୍‌ଜିତ୍‌ ଦୂରରେ ଏକ ଛୋଟ ଶିଶୁକୁ କାନ୍ଦୁଥିବାର ଦେଖି ଗାଡ଼ି ଅଟକାଇଥିଲେ । ଏହା ପରେ ସେ ଗାଡ଼ିରୁ ବାହାରି ଆଗକୁ ଦୌଡ଼ିବାକୁ ଲାଗିଲେ । ତାଙ୍କୁ ଦେଖି ମୁଁ ଏବଂ ମୋ ସହ ଯାତ୍ରା କରୁଥିବା ଆଉ ଜଣେ ଯାତ୍ରୀ ତାଙ୍କ ପଛେ ପଛେ ଯିବା ପରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ବେହୋସ ହୋଇ ଯାଇଥିବା ଦେଖିଲୁ । ପରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଡ଼ାକିଥିବା ବେଳେ କେହି ଶୁଣି ନଥିଲେ । ଶେଷରେ ଆମେ ୩ ଜଣ ଆହତ ଯୁବକଙ୍କୁ ଧରି ଦୀନ ଦୟାଲ ହସ୍ପିଟାଲରେ ପହଞ୍ଚିଥିଲୁ ।

କିନ୍ତୁ ସେଠାରେ ଆହତ ଯୁବକଙ୍କୁ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ଜୈନ୍‌ କହିଛନ୍ତି । କିନ୍ତୁ କ’ଣ ପାଇଁ ଦୀନ ଦୟାଲ ହସ୍ପିଟାଲରେ ଯୁବକଙ୍କ ଚିକିତ୍ସା କରିବା ପାଇଁ ମନା କରାଯାଇଥିଲା ତାହାର କାରଣ ଜଣାଇ ନାହାନ୍ତି ଗୌରବ ।